28.1 C
Bhubaneswar
Thursday, March 28, 2024
Homeଖେଳ୬ ମାସରେ ଖେଳାଯିବ ୧୫୦୦ ମ୍ୟାଚ୍‌: ସେପ୍ଟେମ୍ବର ୮ରୁ ଦୁଲୀପ ଟ୍ରଫି

୬ ମାସରେ ଖେଳାଯିବ ୧୫୦୦ ମ୍ୟାଚ୍‌: ସେପ୍ଟେମ୍ବର ୮ରୁ ଦୁଲୀପ ଟ୍ରଫି

ନୂଆଦିଲ୍ଲୀ: ପାଖାପାଖି ୩ ବର୍ଷ ପରେ ଦୁଲୀପ ଟ୍ରଫି ତା’ର ପୁରୁଣା ସମୟରେ ଆୟୋଜିତ ହେବା ସକାଶେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଅନୁସାରେ, ଆସନ୍ତା ସେପ୍ଟେମ୍ବର ୮ରୁ ଦୁଲୀପ ଟ୍ରଫି ଆରମ୍ଭ ହେବ । ଏଥିସହ ଆଗାମୀ ସିଜନ୍‌ର ଘରୋଇ ମୁକାବିଲାଗୁଡ଼ିକର ପ୍ରାରମ୍ଭ ମଧ୍ୟ ହେବ ବୋଲି ସୋମବାର ବିସିସିଆଇ ପକ୍ଷରୁ ଜାରି ଏକ ବିବୃତିରେ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ସେ ଦେଇଥିବା ସୂଚନାନୁସାରେ, ଆଗାମୀ କ୍ରିକେଟ୍ ସିଜନ୍‌ରେ ପାଖାପାଖି ୧୫୦୦ଟି ମ୍ୟାଚ୍ ଖେଳାଯିବ । ସେହିପରି ଦୁଲୀପ ଟ୍ରଫି ସେପ୍ଟେମ୍ବର ୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ନକଆଉଟ୍ ଟୁର୍ଣ୍ଣାମେଣ୍ଟ୍‌ରେ ୬ଟି ଜୋନ୍ ନର୍ଥ, ସାଉଥ୍‌, ସେଣ୍ଟ୍ରାଲ୍‌, ୱେଷ୍ଟ୍‌, ଇଷ୍ଟ୍ ଓ ନର୍ଥଇଷ୍ଟ୍ ଆଦି ଅଂଶଗ୍ରହଣ କରିବେ । ଗତ କେତୋଟି ସିଜନ୍‌ରେ କୋଭିଡ୍ ସଂକ୍ରମଣ କାରଣରୁ ଦୁଲୀପ ଟ୍ରଫିର ଏହି ପାରମ୍ପରିକ ଫର୍ମାଟ୍ ବିସିସିଆଇ ପକ୍ଷରୁ ଅନୁସରଣ କରାଯାଇ ନ ଥିଲା ଓ ଇଣ୍ଡିଆ ରେଡ୍‌, ବ୍ଲୁ ଓ ଗ୍ରୀନ୍ ଟିମ୍ ମଧ୍ୟରେ ଏହା ଖେଳାଯାଇଥିଲା ।

କିନ୍ତୁ ଆଗାମୀ ସିଜନ୍‌ରେ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍‌ର ପାରମ୍ପରିକ ଫର୍ମାଟ୍ ପ୍ରତ୍ୟାବର୍ତ୍ତନ କରିବ । ସେହିପରି ଆଗାମୀ ସିଜନ୍‌ରେ ପୂର୍ବର ୫ଟି ଜୋନ୍ ସହ ନର୍ଥଇଷ୍ଟ୍ ପ୍ରଥମ ଥର ପାଇଁ ଭାଗନେବ । ଦୁଲୀପ ଟ୍ରଫି ପରେ ଅକ୍ଟୋବର ୧୧ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଓ ତା’ପରେ ନଭେମ୍ବର ୧୨ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଖେଳାଯିବ ବୋଲି ଶାହ ସୂଚନା ଦେଇଛନ୍ତି । ସେହିପରି ରଣ୍‌ଜୀ ଟ୍ରଫି ମଧ୍ୟ ତା’ର ପୁରୁଣା ସମୟକୁ ପ୍ରତ୍ୟାବର୍ତ୍ତନ କରିବ । ଏହା ଆଗାମୀ ଡିସେମ୍ବର ୧୩ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ପୂର୍ବପରି ଏଲିଟ୍ ଓ ପ୍ଲେଟ୍ ଗ୍ରୁପ୍‌କୁ ସାମିଲ୍ କରାଯିବ । ଏଲିଟ୍ ଗ୍ରୁପ୍‌ରେ ୩୨ଟି ଟିମ୍ ସ୍ଥାନ ପାଇବେ ଓ ସେଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ । ଉକ୍ତ ଟିମ୍‌ଗୁଡ଼ିକ ମଧ୍ୟରେ ହୋମ୍ ଓ ଆୱେ ଫର୍ମାଟ୍‌ରେ ୭ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଏହି ୪ଟି ଗ୍ରୁପ୍‌ର ଶୀର୍ଷ ଦୁଇ ଟିମ୍ କ୍ୱାର୍ଟର୍ ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ହାସଲ କରିବେ । ସେହିପରି ପ୍ଲେଟ୍ ଗ୍ରୁପ୍‌ରେ ୬ଟି ଟିଢ଼୍ ରହିବେ ଓ ସେମାନଙ୍କ ମଧ୍ୟରେ ୧୫ଟି ଲିଗ୍ ମ୍ୟାଚ୍ ଖେଳାଯିବ ।

ଏହି ଗ୍ରୁପ୍‌ର ଶୀର୍ଷ ୪ ଦଳ ସିଧାସଳଖ ସେମିଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ଅର୍ଜନ କରିବେ । ଅବଶିଷ୍ଟ ୨ଟି ଟିମ୍ ମଧ୍ୟରେ ପଞ୍ଚମ ସ୍ଥାନ ପାଇଁ ଲଢ଼େଇ ହେବ । ଆସନ୍ତା ଡିସେମ୍ବର ୧୩ରୁ ଉଭୟ ଏଲିଟ୍ ଓ ପ୍ଲେଟ୍ ଗ୍ରୁପ୍‌ର ଲିଗ୍ ମ୍ୟାଚ୍ ଆରମ୍ଭ ହେବ । ଏହି ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ଆସନ୍ତା ବର୍ଷ ଜାନୁଆରୀ ୨୯ ତାରିଖରେ ଶେଷ ହେବ । ସେହିପରି ଏଲିଟ୍ ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ଫେବୃଆରୀ ୨୦ ତାରିଖରେ ଶେଷ ହେବ ବୋଲି ଶାହ ସୂଚନା ଦେଇଛନ୍ତି । ସେହିପରି ମହିଳା ଘରୋଇ କ୍ରିକେଟ୍ ସିଜନ୍ ଅକ୍ଟୋବର ୧୧ରୁ ଆରମ୍ଭ ହେବ । ସିନିୟର୍ ମହିଳା ଟି-୨୦ ଟ୍ରଫି ମାଧ୍ୟମରେ ଏହା ଆରମ୍ଭ ହେବ ଓ ଏହି ଟୁର୍ଣ୍ଣାମେଣ୍ଟ୍‌ଟି ନଭେମ୍ବର ୫ ତାରିଖରେ ଶେଷ ହେବ । ଏହାପରେ ସିନିୟର୍ ମହିଳା ଆନ୍ତଃଜୋନ୍ ଟି-୨୦ ଓ ଟି-୨୦ ଚାଲେଞ୍ଜର୍ ଟୁର୍ଣ୍ଣାମେଣ୍ଟ୍ ଖେଳାଯିବ ।

ଏହି ୫୦ ଓଭର୍ ବିଶିଷ୍ଟ ମୁକାବିଲା ପରେ ସିନିୟର୍ ମହିଳା ଦିନିକିଆ ଟ୍ରଫି ଓ ଆନ୍ତଃଜୋନ୍ ଦିନିକିଆ ମୁକାବିଲା ଖେଳାଯିବ ବୋଲି ଜାରି ବିବୃତିରେ ସ୍ପଷ୍ଟ କରାଯାଇଛି । ଏଥିସହ ସିନିୟର୍ ମହିଳା ଆନ୍ତଃଜୋନ୍ ଟି-୨୦ ଓ ଦିନିକିଆ ଆଗାମୀ ସିଜନ୍‌ରେ ପ୍ରତ୍ୟାବର୍ତ୍ତନ କରିବ । ଆହୁରି ମଧ୍ୟ ବିସିସିଆଇ ପକ୍ଷରୁ ପ୍ରଥମ ଥର ପାଇଁ ୧୬ ବର୍ଷରୁ କମ୍ ବର୍ଗରେ ଦିନିକିଆ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ୍ ମାଧ୍ୟମରେ ଯୁବ ମହିଳା କ୍ରିକେଟର୍‌ମାନେ ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟ୍ ସକାଶେ ନିଜକୁ ପ୍ରସ୍ତୁତ କରିପାରିବେ । ଆହୁରି ଆସନ୍ତା ବର୍ଷ ଜାନୁଆରୀରେ ସାଉଥ୍ ଆଫ୍ରିକାରେ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଖେଳାଯିବ । ସେଥିପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ସକାଶେ ୧୯ ବର୍ଷରୁ କମ୍ ଟି-୨୦ ଟ୍ରଫି ଓ ୧୯ ବର୍ଷରୁ କମ୍ ମହିଳା ଟି-୨୦ ଚାଲେଞ୍ଜର୍ ଟୁର୍ଣ୍ଣାମେଣ୍ଟ୍ ଅକ୍ଟୋବର ୧ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବା ସକାଶେ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking