30.1 C
Bhubaneswar
Saturday, May 4, 2024
Homeଓଡିଶାବ୍ୟାସନଗର ଜମି ସୁରକ୍ଷା କମିଟି ତରଫରୁ ଜରୁରୀ କାଳୀନ ବୈଠକ

ବ୍ୟାସନଗର ଜମି ସୁରକ୍ଷା କମିଟି ତରଫରୁ ଜରୁରୀ କାଳୀନ ବୈଠକ

ଯାଜପୁର : ବ୍ୟାସନଗର ଜମି ସୁରକ୍ଷା କମିଟି ତରଫରୁ ଏକ ଜରୁରୀ କାଳୀନ ବୈଠକ ସଭାପତି  ସୁଧାଂଶୁ ଶେଖର ଦାସଙ୍କ ଅଧ୍ୟକ୍ଷତାରେ ଚୋରଦା ମୌଜାରେ ଅନୁଷ୍ଠିତ ହୋଇଥିଲା । ବ୍ୟାସନଗର ପୌରାଂଚଳରେ ସ୍ଥିତିବାନ ଜମିକୁ ବନ୍ଦୋବସ୍ତ ଅଧିକାରୀ କଟକ, ଜମାବନ୍ଦୀ ଠିକ୍ ନଥିବା ଦର୍ଶାଇ ଜଙ୍ଗଲ ନଥିବା ଜମିକୁ ଜଙ୍ଗଲ କିସମ ଦର୍ଶାଇ ଶହ ଶହ ଏକର ଜମିକୁ ଅନାବାଦି ଭୁକ୍ତ କରାଇଥିବାରୁ ବ୍ୟାସନଗର ଜମି ସୁରକ୍ଷା କମିଟି ୨୦୧୪ରୁ ଅଦ୍ୟାବଧି ଏହାର ପ୍ରତିବାଦ କରି ଆସୁଅଛି । ଏଥିପାଇଁ ରାଜ୍ୟ ସଚ୍ଚିବାଳୟରେ ୩ ଥର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜସ୍ୱ ମନ୍ତ୍ରୀ ଏହି ବିବାଦର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଜମିର କିସମ ବିବାଦ ହେବାରୁ ବିଧାନ ସଭାର ସବ-ଅଡିନେଟ ଲେଜିସଲେଟିଭ କମିଟି ବ୍ୟାସନଗର ପୌରାଂଚଳକୁ ଆସି ସର୍‌ଜମିନ୍ ତଦନ୍ତକରି ସରକାରଙ୍କୁ ୨୦୧୮ ମସିହାରେ ରିପୋର୍ଟ ପ୍ରଦାନ କରିଛନ୍ତି ।
ଜମିର ସତ୍ୱ କିସମକୁ ନେଇ ଯେଉଁ ବିବାଦ ଉପୁଜିଛି ଏହାକୁ ନେଇ ୧୦, ୦୦୦/- ଜମି ମାଲିକ କ୍ଷତିଗ୍ରସ୍ତ ହେଉଛନ୍ତି । ଅପରପକ୍ଷରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରସ୍ତୁତ ଜମାବନ୍ଦିି ଭୁ-ସଂସ୍କାର ଆଇନ୍ , ଓଡିଶା ଜମିଦାରୀ ଉଚ୍ଛେଦ ଆଇନ୍ ଓ ଅଦାଲତର ଆଦେଶ ବଳରେ ପ୍ରସ୍ତୁତ ହୋଇଥିବାବେଳେ ବନ୍ଦୋବସ୍ତ ଅଧିକାରୀ ବେଆଇନ୍ ଭାବେ ଏହାକୁ ଅସ୍ୱୀକାର କରିବାରୁ ଏହି ପ୍ରକାର ବିବାଦ ସମାଧାନ ହୋଇପାରୁ ନାହିଁ । ପ୍ରକାଶ ଥାଉକି ଆଗାମୀ ଦିନରେ ପୌରାଂଚଳ ନିର୍ବାଚନ ଆସୁଥିବାରୁ ଯଦି ସ୍ଥାନୀୟ ଅଧିବାସୀ ମାନଙ୍କ ଜମିର ରେକର୍ଡ ନଥାଏ ସେମାନଙ୍କୁ ଭୂମିହୀନ ରୂପେ ପରିଗଣିତ କରାଯାଏ ତେବେ କେଉଁ ଉଦ୍ଦେଶ୍ୟରେ ନିର୍ବାଚନ କରାଯିବ ଏହା ଜନସାଧାରଣଙ୍କ ମନରେ ଏକ ପ୍ରଶ୍ନବାଚୀ ହୋଇଅଛି । ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।
ଗତ ତା-୩୦.୧୧.୨୦୨୦ ରେ ଉକ୍ତ କମିଟି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ , ୫ଟି ସଚିବ, ମୁଖ୍ୟ ଶାସନ ସଚୀବ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚୀବ, ଜିଲ୍ଲାପାଳ ଯାଜପୁର, କୋରାଇର ପୁର୍ବତନ ବିଧାୟକ ଆକାଶ ଦାସ ନାୟକ, ବର୍ତମାନର ବିଧାୟକ ଶ୍ରୀ ଅଶୋକ କୁମାର ବଳକୁ ଚିଠି ମାଧ୍ୟମରେ ଜମିର ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜଣାଇଥିଲେ ଅଦ୍ୟବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଏହି ପରିପ୍ରେକ୍ଷୀରେ କମିଟି ସ୍ଥିର କରିଛି ଯେ ଆଗାମୀ ୧୫ ଦିନ ମଧ୍ୟରେ ଯଦି ଏହି ଦାବି ଗୁଡିକ ପୂରଣ ନକରାଯାଏ ତେବେ ବ୍ୟାସନଗର କ୍ଷତିଗ୍ରସ୍ତ ଜମି ମାଲିକ ମାନେ ତହସିଲ ଅଫିସ୍ ଘେରାଉ କରିବା ସହିତ ରାଜ ରାସ୍ତାକୁ ଓହ୍ଲାଇବେ ଏବଂ ଆଗାମି ପୌରନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।
ଉକ୍ତ ବୈଠକରେ କମିଟିର ସମ୍ପାଦକ ଶ୍ରୀ ନାରାୟଣ ପ୍ରସାଦ ପତି, ଅଶୋକ କୁମାର ବିଶ୍ୱାଳ, ବିଶ୍ୱନାଥ ସାହୁ, ସୁବାସ ଚନ୍ଦ୍ର ମିଶ୍ର, ଦୁର୍ଗାଚରଣ ପ୍ରତିହାରୀ, ଅମୂଲ୍ୟ କୁମାର ତ୍ରିପାଠୀ, ଦେବ ପ୍ରକାଶ ମହାନ୍ତି, ଜିତେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking