ଯାଜପୁର (ଓ ଏନ ଏ): ଯାଜପୁର ଜିଲ୍ଲା ବିଜେପି ସଙ୍ଗଠନରେ ନୂଆ ପୁରୁଣା ସଂଗଠକମାନଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇ ରାଜ୍ୟ ନେତୃତ୍ଵ ସମସ୍ତଙ୍କୁ ଗୋଟିଏ ଧାରାରେ ନେଇ ନ ପାରିବା କାରଣରୁ ବିଗତ ସାଧାରଣ ନିର୍ବାଚନରେ ଦଳପାଇଁ କିଛି ଆଶାଜନକ ସମ୍ଭାବନା ରହିଥିଲେ ମଧ୍ୟ ସମସ୍ତ ୭ଟି ଯାକ ବିଧାନସଭା ଆସନ ସହ ଲୋକସଭା ଆସନର ଦଳୀୟ ପ୍ରାର୍ଥୀମାନଙ୍କୁ ପରାଜୟର ସ୍ଵାଦ ଚାଖିବାକୁ ପଡିଥିଲା ! ନିର୍ବାଚନ ପରେ ସଙ୍ଗଠକମାନେ ନିର୍ବାଚନ ଫଳାଫଳରୁ କିଛି ଶିକ୍ଷାଲାଭ କରି ପୁନଶ୍ଚ ସମ୍ମିଳିତ ହୋଇ ସଙ୍ଗଠନର ଅଭିବୃଦ୍ଧି ପାଇଁ ଯତ୍ନବାନ ହେବା ପରିବର୍ତ୍ତେ ପାରସ୍ପରିକ ବିଦ୍ୱେଷ ବୃଦ୍ଧି କରି ଆସିଥିବା ପରିଲକ୍ଷିତ ହେଉଛି । ସେହି କାର୍ଯ୍ୟଧାରା ମଧ୍ୟରେ ଦଳୀୟ ଟିକେଟରେ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ନେତାମାନେ ରାଜ୍ୟ ନେତୃତ୍ଵ ଏବଂ ପରଦା ପଛରେ ରହି ରାଜ୍ୟରେ ସଙ୍ଗଠନର ମଙ୍ଗୁଆଳ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କେବଳ ମାତ୍ର ନିଜ ନିଜର ପତିଆରା ଜାରି ରଖିବାକୁ ଯାଇ ପୂର୍ବରୁ ସଂଗଠନକୁ ସମ୍ଭାଳି ଆସିଥିବା ନେତାମାନଙ୍କୁ କୌଣସି ମତେ କୋଣଠେସା କରି ରଖିବା ପାଇଁଁ ସବୁବେଳେ ଧ୍ୟାନ କେନ୍ଦ୍ରିତ କରି ଆସିଥିବା ଅନୁଭବ ହେଉଛି । ଯାହା ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନରେ ସେଭଳି ନେତାମାନଙ୍କୁ ସାମିଲ ନ କରାଯିବା ଘଟଣା ପ୍ରମାଣିତ କରିଥିଲା । ଦଳରେ ଏମିତି ଅନ୍ତଃକନ୍ଦଳକୁ ଦେଖି କେବଳ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଶ୍ମୃତିରେଖା ପହିଙ୍କୁ ଛାଡ଼ି ଦେଲେ ଅନ୍ୟ ଦଳରୁ ତ ସେମିତି କୌଣସି ନେତା ବିଜେପିରେ ଯୋଗ ଦେବାକୁ ମନ ବଳାଉ ନାହାନ୍ତି ବରଂ ଦଳର ଅନେକ ଛାମୁଆ ସଂଗଠକ ଦଳ ଛାଡ଼ି ବିଜେଡ଼ିକୁ ଚାଲି ଯାଉଥିବା ଘଟଣାରୁ ଜିଲ୍ଲାରେ ଦଳର ଗତି କେଉଁ ଆଡ଼କୁ ଯେ ମୁହଁ କରି ଚାଲିଛି ତାହାକୁ ରାଜ୍ୟ ନେତୃତ୍ଵ ହୁଏତ ଏଯାଏଁ ଅନୁଭବ କରି ପାରିନାହାନ୍ତି ବୋଲି ବୁଝା ପଡିଯାଉଛି । ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଦଳର ୬ଟି ଆସନରେ ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । କିନ୍ତୁ ଏହିପରି ବିବାଦ କାରଣରୁ ଠିକ୍ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ମାମିନା ମଲିକ ଓ ଶ୍ରବଣ କୁମାର ଜେନା ଦଳ ଛାଡ଼ି ବିଜେଡ଼ିକୁ ଚାଲି ଯାଇଥିବା ବେଳେ ଇତିମଧ୍ୟରେ ଆଉ ଜଣେ ସଭ୍ୟ ଚତୁର୍ଭୁଜ ଦ୍ବିବେଦୀ ମଧ୍ୟ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁନାରାମ୍ ମାରାଣ୍ଡି ବି ଦଳ ଛାଡ଼ି ବିଜେଡ଼ିକୁ ଚାଲି ଯାଇଛନ୍ତି । ସେହିପରି ଦୁଇ ଦୁଇଥର ଲୋକସଭା ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଅମିୟକାନ୍ତ ମଲ୍ଲିକଙ୍କୁ ମଧ୍ୟ କୌଣସି ଗୁରୁତ୍ଵପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ଵ ନ ଦେଇ ତାଙ୍କୁ ବି ଅଲୋଡ଼ା କରି ରଖିବା ପାଇଁଁ ସତେ ଯେମିତି ଏକ ଖସଡ଼ା ହୋଇଛି । କିଛି ମାସ ତଳେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଜିଲ୍ଲା ସଭାପତିଙ୍କ ସମେତ ସବୁ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀମାନେ ତାଙ୍କୁ ସୌଜନ୍ୟତା ଦୃଷ୍ଟିରୁ ସ୍ବାଗତ କରିବାକୁ ତ ଉଚିତ୍ ମନେ କଲେ ନାହିଁ ବରଂ ଗସ୍ତକୁ ଏକପ୍ରକାର ବୈକଟ୍ କରିଥିବା ପରିଲକ୍ଷିତ ହୋଇଥିଲା । ମାତ୍ର ନିମନ୍ତ୍ରଣ ରକ୍ଷା କରି ଲୋକସଭା ପ୍ରାର୍ଥୀ ଶ୍ରୀ ମଲ୍ଲିକ କିନ୍ତୁ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସବୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରୀୟ ମୁଖପାତ୍ରଙ୍କ କାର୍ଯ୍ୟକ୍ରମରେ ଶ୍ରୀ ମଲ୍ଲିକ ଉପସ୍ଥିତ ରହିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ପରିଲକ୍ଷିତ ହୋଇଛି । ସେଇଥିପାଇଁ ଏବେ ବୋଧହୁଏ ତାଙ୍କୁ ମଧ୍ୟ ଦଳରେ କୋଣଠେସା କରି ରଖିବାର ରଣନୀତି ଆରମ୍ଭ ହୋଇ ଯାଇଛି । ଯଦି ତାହା ହୋଇ ନ ଥାନ୍ତା ତେବେ ଆସନ୍ତାକାଲି କୋରେଇ ନିର୍ବାଚନମଣ୍ଡଳୀରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବ୍ୟାନରରେ ଅନ୍ୟ ନେତାମାନଙ୍କ ସହ ସମସ୍ତ ୭ଟି ଯାକ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀମାନଙ୍କ ଫଟୋ ସ୍ଥାନ ପାଇଥିବା ବେଳେ ଲୋକସଭା ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କ ଫଟୋ ରଖିବାକୁ କାହିଁକି ତେବେ ଆବଶ୍ୟକତା ମନେ କରାଗଲା ନାହିଁ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେ ଯାହା ବି ହେଉ ନା କାହିଁକି ଜିଲ୍ଲାରେ ଦଳର ଗତି ଯେଉଁଭଳି ଭାବରେ ଚାଲିଛି ଏହି ଧାରା ଜାରି ରହିଲେ ଆଉ ମାତ୍ର କିଛି ମାସ ପରେ ଯେତେବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ସେଥିରେ ଦଳର ପ୍ରଦର୍ଶନ ବିଗତ ତ୍ରିସ୍ତରୀୟ ନିର୍ବାଚନଠାରୁ ଯଦି ଖରାପ ହୁଏ ତେବେ ସେଥିରେ କେହି ବି ଆଶ୍ଚର୍ଯ୍ୟ ହେବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେବାକୁ ଆରମ୍ଭ କଲେଣି ।