21.1 C
Bhubaneswar
Thursday, January 23, 2025
Homeଖେଳଲିଷ୍ଟ୍‌-ଏ’ରେ ଜଗଦୀଶନ୍‌ଙ୍କ ବିଶ୍ୱ ରେକର୍ଡ

ଲିଷ୍ଟ୍‌-ଏ’ରେ ଜଗଦୀଶନ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଚଳିତ ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ଫର୍ମରେ ଥିବା ତାମିଲନାଡ଼ୁ ବ୍ୟାଟ୍ସମ୍ୟାନ୍ ନାରାୟଣ ଜଗଦୀଶନ୍ ସୋମବାର ପୁରୁଷ ଲିଷ୍ଟ୍‌-ଏ’ କ୍ରିକେଟ୍‌ରେ ଏକାଧିକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସୋମବାର ଦଳ ଖେଳିଥିବା ଅରୁଣାଚଳ ପ୍ରଦେଶ ବିପକ୍ଷ ମୁକାବିଲାରେ ଓପନର୍ ଜଗଦୀଶନ୍ ମାତ୍ର ୧୪୧ଟି ବଲ୍‌ର ସମ୍ମୁଖୀନ ହୋଇ ୨୫ଟି ଚୌକା ଓ ୧୫ଟି ଛକା ସହ ୨୭୭ ରନ୍‌ର ଦମ୍‌ଦାର ଇନିଂସ ଖେଳି ଇଂଲଣ୍ଡର ଅଲୀ ବ୍ରାଉନ୍‌ଙ୍କୁ ଟପିଥିଲେ । ସରେ ବ୍ୟାଟ୍ସମ୍ୟାନ୍ ବ୍ରାଉନ୍ ୨୦୦୨ରେ ଗ୍ଲାମରଗାନ୍ ବିପକ୍ଷରେ ୨୬୮ ରନ୍ କରି ସର୍ବାଧିକ ସ୍କୋରର୍ ରହିଥିଲେ । ସେହିପରି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଜଗଦୀଶନ୍ ଅତିକ୍ରମ କରିଥିଲେ । ରୋହିତ ଗତ ୨୦୧୪ରେ ଇଡେନ୍ ଗାର୍ଡେନ୍ସଠାରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ କରିଥିଲେ ।

ଜଗଦୀଶନ୍ ମଧ୍ୟ ତାଙ୍କର ବିସ୍ଫୋରକ ଇନିଂସ ମାଧ୍ୟମରେ ଲିଷ୍ଟ୍‌-ଏ’ କ୍ରିକେଟ୍‌ରେ କ୍ରମାଗତ ପଞ୍ଚମ ଶତକ କରି ନୂଆ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ଇନିଂସରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା, ସାଉଥ୍ ଆଫ୍ରିକାର ଆଲ୍‌ଭିରୋ ପିଟର୍‌ସନ୍ ଓ କର୍ଣ୍ଣାଟକର ଦେବଦତ୍ତ ପାଡିକଲ୍‌ଙ୍କୁ ଅତିକ୍ରମ କରିଛନ୍ତି । ଆହୁରି ଓପନର ବି. ସାଇ ସୁଦର୍ଶନ (୧୫୪)ଙ୍କ ସହ ପ୍ରଥମ ୱିକେଟ୍‌ରେ ୪୧୬ ରନ୍ ଯୋଡ଼ି ଲିଷ୍ଟ୍‌-ଏ’ କ୍ରିକେଟ୍‌ରେ ସର୍ବାଧିକ ଭାଗୀଦାରୀ ରେକର୍ଡ ମଧ୍ୟ କରିଛନ୍ତି ।

ଏ କ୍ଷେତ୍ରରେ ଜଗଦୀଶନ୍‌-ସୁଦର୍ଶନ ଯୋଡ଼ି କ୍ରିସ୍ ଗେଲ୍ ଓ ମାର୍ଲନ୍ ସାମୁଏଲ୍ସଙ୍କ ମଧ୍ୟରେ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ଜିମ୍ବାୱେ ବିପକ୍ଷରେ ହୋଇଥିବା ୩୭୨ ରନ୍‌ର ଭାଗୀଦାରୀକୁ ମଧ୍ୟ ଅତିକ୍ରମ କରିଛନ୍ତି । ଅନ୍ୟପକ୍ଷରେ ତାମିଲନାଡ଼ୁ ୨ ୱିକେଟ୍ ବିନିମୟରେ ୫୦୬ ରନ୍ କରି ଲିଷ୍ଟ୍‌-ଏ’ କ୍ରିକେଟ୍‌ରେ ସର୍ବୋଚ୍ଚ ସ୍କୋର୍ କରିଛି । ଏହି କ୍ରମରେ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଇଂଲଣ୍ଡର ୪୯୮ ସ୍କୋର୍‌କୁ ଅତିକ୍ରମ କରିବା ସହ ଲିଷ୍ଟ୍‌-ଏ’ କ୍ରିକେଟ୍‌ରେ ପ୍ରଥମ ଦଳ ଭାବେ ୫ ଶହରୁ ଊର୍ଦ୍ଧ୍ୱ ସ୍କୋର୍ କରିଛି । ପରେ ତାମିଲନାଡ଼ୁ ୪୩୫ ରନ୍‌ରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରି ଲିଷ୍ଟ୍‌-ଏ’ରେ ସର୍ବାଧିକ ବ୍ୟବଧାନ ରେକର୍ଡ ଦରଜ କରିଛି । ପୂର୍ବରୁ ସମରସେଟ୍ ନାମରେ ଏହି ରେକର୍ଡ ଥିଲା । ଦଳ ୧୯୯୦ରେ ଡେଭନ୍ ବିପକ୍ଷରେ ୩୪୬ ରନ୍‌ରେ ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking