ଭୁବନେଶ୍ୱର: ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଇଣ୍ଡିଆନ୍ସ ୱିମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ଓଡ଼ିଶାରୁ ଭାଗ ନେଇଥିବା ଅନ୍ୟତମ ଦଳ ସ୍ପୋର୍ଟ୍ସ ଓଡ଼ିଶା ଗୁରୁବାର ତା’ର ତୃତୀୟ ବିଜୟ ହାସଲ କରିଛି । ଅହମ୍ମଦାବାଦର ଶାହିବାଗ୍ ପୁଲିସ୍ ଷ୍ଟାଡିୟମ୍ଠାରେ ଦଳ ତା’ର ଚତୁର୍ଥ ମ୍ୟାଚ୍ରେ ମାତା ରୁକ୍ମଣୀ ଫୁଟବଲ୍ କ୍ଲବ୍କୁ ଭେଟିଥିବା ବେଳେ ଏଥିରେ ୧-୦ ଗୋଲ୍ରେ ବିଜୟୀ ହୋଇଛି । ମ୍ୟାଚ୍ର ପ୍ରଥମାର୍ଦ୍ଧ ଖେଳ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ସ୍ପୋର୍ଟ୍ସ ଓଡ଼ିଶାକୁ ମନୀଷା ନାଏକ ଅଗ୍ରଣୀ ଦେଇଥିଲେ । ସେ ୫୪ତମ ମିନିଟ୍ରେ ମ୍ୟାଚ୍ର ଏହି ଏକମାତ୍ର ଗୋଲ୍ଟି ସ୍କୋର୍ କରିଥିଲେ ।
ଏହି ଗୋଲ୍ ପାଇଁ ମନୀଷାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା ସ୍ପୋର୍ଟ୍ସ ଓଡ଼ିଶା ଅଦ୍ୟାବଧି ୪ ମ୍ୟାଚ୍ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୯ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ରହିଛି । ଏହି ଗ୍ରୁପ୍ରେ ୧୦ ପଏଣ୍ଟ୍ ପାଇଥିବା ଗୋକୁଲମ୍ କେରଳା ଏଫ୍ସି ଶୀର୍ଷରେ ରହିଥିବା ବେଳେ ଇଷ୍ଟ୍ ବେଙ୍ଗଲ ଏଫ୍ସି ୯ ପଏଣ୍ଟ୍ ପାଇଥିଲେ ମଧ୍ୟ ଉନ୍ନତ ଗୋଲ୍ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତିଯୋଗିତାରେ ଦଳ ତା’ର ପଞ୍ଚମ ମ୍ୟାଚ୍ ଆସନ୍ତା ଶନିବାର ମୁମ୍ବାଇ ନାଇଟ୍ସ ଏଫ୍ସି ବିପକ୍ଷରେ ଖେଳିବ ।