ସୁବର୍ଣ୍ଣପୁର : ଦେଶରେ ଦେଖାଦେଇଛି ହିଟ୍ ୱେଭ୍ । ଦେଶର ପୂର୍ବ ଉପକୂଳରେ ଥିବା ରାଜ୍ୟ ଓଡ଼ିଶା ଏଥିରୁ ବାଦ୍ ପଡିନାହିଁ । ଓଡ଼ିଶାରେ ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ବିଭିନ୍ନ ସ୍ଥାନରେ ରେକର୍ଡ ଭାଙ୍ଗୁଛି । ପ୍ରଚଣ୍ଡ ରୌଦ୍ରତାପରେ ପ୍ରଭାବିତ ଓଡ଼ିଶାରେ ବିନା ଗ୍ୟାସ୍ ଷ୍ଟୋଭରେ ମଧ୍ୟ ରୋଷେଇ ହେଇ ପାରୁଛି । ସମାନ ଜିନିଷକୁ ଏକ ମଜାଳିଆ ଢଙ୍ଗରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ନିଜ କାରର ବନେଟ୍ ଉପରେ ରୁଟି ତିଆରି କରୁଥିବାର ଭିଡିଓ ଶେୟାର କରିଥିଲେ ।
ସୋନପୁରର ମହିଳା ଜଣଙ୍କ ୪୦ ଡିଗ୍ରୀ ତାପମାତ୍ରାରେ ବିନା ଗ୍ୟାସ ଷ୍ଟୋଭରେ ନିଜ କାରର ବନେଟ୍ ଉପରେ ରୁଟି ତିଆରି କରିଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏହି ଭିଡିଓଟିକୁ ଶେୟାର କରିବା ପରେ ଏହା ବେଶ ଭାଇରାଲ ହୋଇଥିଲା । ଭିଡିଓଟି ଶେୟାର କରିବା ସହିତ ସେ ଲେଖିଥିଲେ, ମୋ ଜିଲ୍ଲା ସୋନପୁରରୁ ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହୋଇଛି ।
ମଣିପୁରର ପରିବେଶ ବିତ୍ ଲିସିପ୍ରିୟା କାଙ୍ଗୁଜାମ୍ ଲେଖିଥିଲେ ଧନ୍ୟବାଦ ଭାରତ, ଆମେ ବର୍ତ୍ତମାନ କାର ଉପରେ ରୁଟି ତିଆରି କରିବାରେ ସମର୍ଥ । ରାଜ୍ୟରେ ବଢୁଥିବା ତାପମାତ୍ରା ଏବଂ ହିଟ୍ୱେଭକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଛନ୍ତି ତାତିରୁ ବର୍ତ୍ତମାନ ନିସ୍ତାର ମିଳିବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୩-୫ଡିଗ୍ରୀ ଯାଏଁ ବଢିଯିବ ।