33.1 C
Bhubaneswar
Friday, May 3, 2024
Homeଅପରାଧଆଇଟିଆଇ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଆଇଟିଆଇ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା କରଛନ୍ତି । ତାଙ୍କ ଝୁଲନ୍ତା ମୃତଦେହକୁ ହଷ୍ଟେଲ ପରିସରରୁ ଉଦ୍ଧାର କରାଯାଇଛି । ମୃତ ଛାତ୍ରଙ୍କ ନାଁ ରୁଦ୍ର ମାଧବ ରଣା । ସେ ଇଲେକ୍ଟ୍ରିକାଲ ଟ୍ରେଡ୍‌ର ପ୍ରଥମ ବର୍ଷର ଛାତ୍ର ଥିଲେ । ରୁଦ୍ରଙ୍କ ମା’ ଅଭିଯୋଗ କରିଛନ୍ତି ଯେ କଲେଜର ଭବାନୀ ସାର୍ ତାଙ୍କ ପୁଅଙ୍କୁ ସବୁ ବେଳେ ମାଡ଼ ମାରୁଥିଲେ । ଗତକାଲି ବି ସେ ପୁଅକୁ ପିଟି ଥିଲେ । ପୁଅ ଫୋନ କରି ଭବାନୀ ସାର ପିଟି ଥିବା କଥା କହିଥିଲା ।

ଭବାନୀ ସାର ଆଉ ଥରେ ପିଟିଲେ ସେ ଆତ୍ମହତ୍ୟା କରିଦେବ ବୋଲି ପୂର୍ବରୁ କହିଥିଲା । ଆଉ ଗତକାଲି ଭବାନୀ ସାର ତାକୁ ପୁଣି ପିଟିବା ପରେ ସେ ଆତ୍ମହତ୍ୟା କରି ଦେଇଛି । ରୁଦ୍ରଙ୍କ ମା’ ଆହୁରି କହିଛନ୍ତି, ପୁଅ ଠାରୁ ଫୋନ୍ ପାଇବା ପରେ ଆମେ ହଷ୍ଟେଲ ୱାଡେନ୍‌ଙ୍କୁ ଫୋନ୍ କରିଥିଲୁ । ରୁଦ୍ର କରିଥିବା ଅଭିଯୋଗ ସଂପର୍କରେ ତାଙ୍କୁ ଜଣାଇଥିଲୁ । ଏହା ସହିତ ରୁଦ୍ରଙ୍କୁ ଘରକୁ ଛାଡ଼ି ଦେବାକୁ କହିଥିଲୁ । କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛାଡ଼ି ହେବନି ବୋଲି ସେ କହିଥିଲେ । ଆଉ ତା’ପରେ ରୁଦ୍ର ଏଭଳି ପଦକ୍ଷେପ ନେଇଥିଲା । ମଞ୍ଚେଶ୍ୱର ଥାନା ପୁଲିସ୍ କଲେଜରେ ପହଞ୍ଚି ରୁଦ୍ରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି । ଏହା ସହିତ ପୁଲିସ କଲେଜ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିଛି ।

ରୁଦ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେମାନଙ୍କ ଏତଲା ଆଧାରରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୁଲିସ କହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ସମସ୍ତଙ୍କୁ ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ଯେଉଁ ଅଧ୍ୟାପକଙ୍କ ବିରୋଧରେ ରୁଦ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି, ସେ ଆଜି କଲେଜରେ ଉପସ୍ଥିତ ନଥିଲେ । ଗତକାଲି ଘଟଣା ପରଠାରୁ ସେ କଲେଜରେ ଉପସ୍ଥିତ ନଥିବା କୁହାଯାଉଛି ।

ଭବାନୀ ସାର ରୁଦ୍ରଙ୍କୁ ସର୍ବଦା ପିଟୁ ଥିଲେ ବୋଲି ତାଙ୍କ ମା’ କହୁଥିଲେ ହେଁ କାହିଁକି ପିଟୁଥିଲେ, ସେ ବିଷୟରେ କିଛି ଜଣାପଡ଼ିନି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରୁଦ୍ରଙ୍କୁ ଭବାନୀ ସାର ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଯେଉଁ ଅଭିଯୋଗ ହୋଇଛି, କଲେଜ କର୍ତ୍ତୃପକ୍ଷ ସେ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ କଲେଜ କର୍ତ୍ତୃପକ୍ଷ ଗଣମାଧ୍ୟମ ଆଗରେ କିଛି କହି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking