29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଇଟି ଶିଳ୍ପରେ ନିଯୁକ୍ତି ବର୍ଷା: କର୍ମଚାରୀ ଟାଣିବାକୁ ବୋନସ୍ ଏବଂ ମହଙ୍ଗା ବାଇକ୍‌ ଦେଉଛନ୍ତି କମ୍ପାନି

ଆଇଟି ଶିଳ୍ପରେ ନିଯୁକ୍ତି ବର୍ଷା: କର୍ମଚାରୀ ଟାଣିବାକୁ ବୋନସ୍ ଏବଂ ମହଙ୍ଗା ବାଇକ୍‌ ଦେଉଛନ୍ତି କମ୍ପାନି

ନୂଆଦିଲ୍ଲୀ: ଭାରତୀୟ ଆଇଟି ଶିଳ୍ପରେ ଏବେ ଚାଲିଛି ନିଯୁକ୍ତି ବର୍ଷା । କିଛି ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ନିକଟରେ ଏକାଧିକ ଅଫର । ଫଳରେ ଇସ୍ତଫା ସଂଖ୍ୟା ବି ବଢ଼ିଚାଲିଛି । ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ରହିଥିବାରୁ କିଛି ବର୍ଷର ଅଭିଜ୍ଞତା ରଖିଥିବା ପ୍ରାର୍ଥୀଙ୍କ ଚାହିଦା କାହିଁରେ କ’ଣ । କମ୍ପାନିଗୁଡ଼ିକ ଯୋଗ୍ୟ ପ୍ରାର୍ଥୀଙ୍କୁ ଟାଣିବା ପାଇଁ ଲୋଭନୀୟ ଅଫର ଦେଉଛନ୍ତି । ପ୍ରାର୍ଥୀଙ୍କୁ ଦିଆଯାଉଛି ଜଏନିଂ ବୋନସ୍‌ । ଫିନ୍‌ଟେକ୍‌ କମ୍ପାନି ନୂଆ ଯୋଗ ଦେଉଥିବା କର୍ମଚାରୀଙ୍କୁ ବିଏମ୍‌ଡବ୍ଲ୍ୟୁ ବାଇକ୍‌ ଦେଉଛି ।

କେତେକ କମ୍ପାନି ଆଇଫୋନ ଏବଂ ଫ୍ଲେକ୍ସି-ୱାର୍କିଂ ସୁବିଧା ବି ପ୍ରଦାନ କରୁଛନ୍ତି । କେତେକ କମ୍ପାନି ଆଶାୟୀଙ୍କୁ ଆସେସ୍‌ମେଣ୍ଟ ଟେଷ୍ଟ ଦେବା ପାଇଁ ୧ହଜାର ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରୁଛନ୍ତି । ପ୍ରାର୍ଥୀଜଣକ କମ୍ପାନିରେ ଯୋଗ ଦେବା ପରେ ହେଉ ଅବା ଆସେସ୍‌ମେଣ୍ଟ ଟେଷ୍ଟ୍‌ ଦେବା ସମୟରେ ସେମାନଙ୍କୁ ଏହି ରାଶି ପ୍ରଦାନ କରାଯାଉଛି । ଆଇଟି ଷ୍ଟାଫିଂ ସଂସ୍ଥା ଟିମ୍‌ଲିଜ୍‌ ଡିଜିଟାଲର ଭିପି ଏବଂ ବିଜ୍‌ନେସ ହେଡ୍‌ ଶୀବ ପ୍ରସାଦ ନନ୍ଦୁରୀଙ୍କ କହିବାନୁଯାୟୀ, ଏପ୍ରିଲ ଶେଷ ଭାଗରେ ଆଇଟି କମ୍ପାନିଗୁଡ଼ିକ ପକ୍ଷରୁ କର୍ମଚାରୀଙ୍କ ଚାହିଦା ୫ହଜାର ଥିଲା । ଜୁନ୍‌ରେ ଶେଷ ହୋଇଥିବା ତ୍ରୟମାସରେ ଏହା ବଢ଼ି ୨୦ହଜାର ହୋଇଛି ।

ଟିସିଏସ୍‌, ଇନ୍‌ଫୋସିସ୍‌, ଏଚ୍‌ସିଏଲ୍‌ ଏବଂ ୱିପ୍ରୋ ପକ୍ଷରୁ ମିଳିତ ଭାବେ ଚଳିତବର୍ଷ ୧ ଲକ୍ଷ ନିଯୁକ୍ତି ଦିଆଯିବାର ଅନୁମାନ କରାଯାଉଛି । କଗ୍‌ନିଜାଣ୍ଟ ଏକାକୀ ଏ ବର୍ଷ ୧ ଲକ୍ଷ ଅଭିଜ୍ଞ ପେସାଦାର ଏବଂ ୩୦ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । କମ୍ପାନି କ୍ୟାମ୍ପସ ଚୟନରେ ୪୫ହଜାର ନିଯୁକ୍ତି ଦେବ, ଯେଉଁମାନେ ଆସନ୍ତା ବର୍ଷ କମ୍ପାନିରେ ଯୋଗ ଦେବେ । ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତିରେ ଡିଜିଟାଲ କରଣର ଚାହିଦା ଢ଼େର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ସ୍ତରରେ ବିପୁଳ ଚାହିଦା ମଧ୍ୟରେ ଆଇଟି କମ୍ପାନିଗୁଡ଼ିକର କାରବାର ମଧ୍ୟ ତ୍ୱରାନ୍ୱିତ ହୋଇଛି । ଗତ ତିନୋଟି ତ୍ରୟମାସ ହେବ ଆଇଟି ଶିଳ୍ପରେ ଅଭିଜ୍ଞ କାର୍ଯ୍ୟବଳଙ୍କ ଚାହିଦା ବୃଦ୍ଧି ପାଇଥିବା ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ନିଯୁକ୍ତି ସଂସ୍ଥା କ୍ୱେସ୍‌ରେ ଆଇଟି ଷ୍ଟାଫିଂର ସିଇଓ ବିଜୟ ଶୀବରାମଙ୍କ କହିବାନୁଯାୟୀ, କମ୍ପାନିଗୁଡ଼ିକ ଯେଉଁମାନଙ୍କୁ ଅଫର ଦେଉଛନ୍ତି ସେମାନଙ୍କ ମଧ୍ୟରୁ ୩୦ରୁ ୫୦% ଅଫରକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଯିଏ ଯେତେ ଦକ୍ଷ ସେମାନଙ୍କୁ ସେତେ ଅଧିକ ଅଫର ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking