22.1 C
Bhubaneswar
Wednesday, January 29, 2025
Homeଓଡିଶାସରକାରୀ ବିଦ୍ୟାଳୟରେ ମୌଳିକ ସୁବିଧା ପ୍ରସଙ୍ଗ: କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ସରକାରୀ ବିଦ୍ୟାଳୟରେ ମୌଳିକ ସୁବିଧା ପ୍ରସଙ୍ଗ: କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ତତ୍ପର ରହିଛନ୍ତି ବୋଲି କୁହାଯାଇଛି । ଘରୋଇ ବିଦ୍ୟାଳୟ ବିଦ୍ୟାର୍ଥୀମାନେ ଆକୃଷ୍ଟ ନ ହେବା ପାଇଁ କୁହାଯିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟଗୁଡିକର ରୁପାନ୍ତରଣ ମଧ୍ୟ କରାଯାଇଛି । ତଥାପି ବିଦ୍ୟାଳୟରେ ମୌଳିକ ସୁବିଧା ପ୍ରଦାନ କରିବାରେ ବିଦ୍ୟାଳୟ, ଗଣ ଶିକ୍ଷା ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏଭଳିକି ଏହି ପରିପ୍ରେକ୍ଷୀରେ ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରାଯାଇଥିବା ନେଇ ଶିକ୍ଷାବିତ୍‌, ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ଫେବୃଆରୀ ମାସରେ ମାନ୍ୟବର ରାଜ୍ୟ ହାଇକୋର୍ଟ ରାଜ୍ୟ ବିଦ୍ୟାଳୟ, ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟର ସମସ୍ତ ଜିଲ୍ଳାର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ, ପୁଅ, ଝିଅଙ୍କ ପାଇଁ ପୃଥକ ଶୌଚାଳୟ, ବିଭିନ୍ନ ଶ୍ରେଣୀ ପାଇଁ ପୃଥକ ଶ୍ରେଣୀ ଗୃହ, ବିଦ୍ୟୁତ ସଂଯୋଗ, ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ, ବେଞ୍ଚ ଡେସ୍କ ଯୋଗାଇଦେବା ପାଇଁ ନୁତନ ଶିକ୍ଷା ବର୍ଷ ଆରମ୍ଭରୁ ବିଭାଗ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସଚିବ ପ୍ରତ୍ୟେକ ଜିଲ୍ଳାର ଶିକ୍ଷାଧିକାରୀଙ୍କ ଠାରୁ ଏହି ପରିପ୍ରେକ୍ଷୀରେ ଫଟୋ ସହ ରିପୋର୍ଟ ସଂଗ୍ରହ କରିବେ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଦ୍ୟାଳୟ ଖୋଲିବାର ପ୍ରାୟ ଦେଢ଼ ମାସ ପରେ ବି ଗଞ୍ଜାମ ଜିଲ୍ଳାରେ ଏଯାବତ୍ ଶତାଧିକ ବିଦ୍ୟାଳୟରେ ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ ।

ଏହି ପରିପ୍ରେକ୍ଷୀରେ ଜିଲ୍ଳା ଶିକ୍ଷା ବିଭାଗରୁ ପ୍ରାପ୍ତ ସୁଚନା ଅନୁଯାୟୀ ୧୧୫ଟି ବିଦ୍ୟାଳୟରେ ବିଦୁୁ୍ୟତ ସଂଯୋଗ ନାହିଁ । ଝିଅମାନେ ପଢ଼ୁଥିବା ୫୦ଟି ବିଦ୍ୟାଳୟରେ ଶୌଚାଳୟ ନାହିଁ, ପୁଅମାନେ ପଢ଼ୁଥିବା ୪୬ଟି ବିଦ୍ୟାଳୟରେ ଶୌଚାଳୟ ନାହିଁ । ଜିଲ୍ଳାରେ ମୋଟ ମଞ୍ଜୁର ପ୍ରାପ୍ତ ଶିକ୍ଷକଙ୍କ ସଂଖ୍ୟା ୩୪୦୧ ରହିଥିବାବେଳେ ଏଠାରେ କ।।ର୍ଯ୍ୟରତ ଅଛନ୍ତି ୨୮୮୦ । ଖାଲି ପଡ଼ିଛି ୫୨୧ଟି ଶିକ୍ଷକ ପଦବୀ । ଏହି ସୂଚନା ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ରହିଥିବା ବେଳେ ସଂପ୍ରତି ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଉଲ୍ଲେଖଥାଉ କି, ଗତ ୨୦୧୯ ମସିହା ଜୁନ ମାସରେ ତତ୍କାଳୀନ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଜିଲ୍ଳା ସ୍ତରୀୟ ଶିକ୍ଷା ସଂପର୍କିତ ବୈଠକରେ କୁହଯାଇଥିଲା ଯେ ଜିଲ୍ଳାରେ ପ୍ରାୟ ୪୬୨ଟି ବିଦ୍ୟାଳୟରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନାହିଁ । ୧୯୯୫ଟି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ । ସବୁଠୁ ବଡ଼ ବିଡ଼ମ୍ବନା ହେଲା ଏହି ଜିଲ୍ଳାରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କ ଯୋଗ୍ୟତା ଗତ ୨୦୧୯ ଠାରୁ ପ୍ରଶ୍ନବାଚୀ ହୋଇଛି । ଏମାନେ ଜାଲ୍ ସର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି । ତେବେ ଏମାନଙ୍କ ଉପରେ ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା କୁହାଯାଇଛି ।

ଅନ୍ୟପକ୍ଷରେ ଅଭିଯୋଗ ପ୍ରମାଣିତ ହେବା ପର୍ଯ୍ୟନ୍ତ ନକଲି ଶିକ୍ଷକ ପାଠ ପଢ଼ାଇବେ କି ବୋଲି ଅଭିଭାବକ ମହଲରେ ପ୍ରଶ୍ନ ହୋଇଛି । ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜିଲ୍ଳାରେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ହୋଇପାରିନାହିଁ । ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଲ୍ଳା ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଜିଲ୍ଳାରେ ଯଦି ସ୍ଥିତି ଏଭଳି ରହିିଛି, ତାହା ହେଲେ ଅନ୍ୟ ଜିଲ୍ଳାରେ ସ୍ଥିତି କିଭଳି ରହିଥିବ ତାହା ସହଜେ ଅନୁମେୟ । ଏହି ସବୁ କାରଣ ଯୋଗୁଁ ବିଦ୍ୟାଳୟ ଶିକ୍ଷାର ମାନ ନିମ୍ନଗାମୀ ହେଉଛି ବୋଲି ଅଭିଯୋଗ ହେଉଛି । ଏହି କାରଣ ଯୋଗୁଁ ସରକାରୀ ବିଦ୍ୟାଳୟ ପ୍ରତି ଜନସାଧାରଣଙ୍କ ଆଗ୍ରହ କମୁଛି, ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking