କୋଲକାତା : ମହାପୁରୁଷ ଶ୍ରୀରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ଇସ୍କନ୍ (ଇଣ୍ଟରନ୍ୟାସନାଲ ସୋସାଇଟୀ ଫର୍ କ୍ରିଷ୍ଣ କନ୍ସସ୍ନେସ୍) ସଂସ୍ଥାର ଜଣେ ସାଧୁଙ୍କୁ ବିତାଡିତ କରାଯାଇଛି । ଅମୋଘ ଲୀଳାଦାସ ନାମକ ଏହି ଇସ୍କନ୍ ସାଧୁ କିଛିଦିନ ପୂର୍ବେ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ ଅପମାନସୂଚକ ବିବୃତି ଦେଇ ବିବାଦୀୟ ହୋଇପଡିଥିଲେ । ବିବେକାନନ୍ଦ ମାଛ ଖାଉଥିବାରୁ ଅମୋଘ ତାଙ୍କୁ ସମାଲୋଚନା କରିଥିଲେ । ଜଣେ ସାଧୁ ପୁରୁଷ କୌଣସି ଜୀବନ୍ତ ପ୍ରାଣୀକୁ ଖାଇବା ଅନୁଚିତ ବୋଲି ଅମୋଘ କହିଥିଲେ ।
ଅପରପକ୍ଷରେ ଶ୍ରୀରାମକୃଷ୍ଣଙ୍କ ‘ଯତ ମତ୍ ତତୋ ପଥ୍’ (ଯେତେ ମତ, ସେତେ ପଥ) ମନ୍ତବ୍ୟ ଅଗ୍ରହଣୀୟ ବୋଲି ମଧ୍ୟ ଅମୋଘ କହିଥିଲେ । ସୋସିଆଲ ମିଡିଆରେ ଅମୋଘଙ୍କ ବାଣୀ ଭାଇରାଲ ହେବାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୃଣମୂଳ କଂଗ୍ରେସ ମହାସଚିବ କୁନାଲ ଘୋଷ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଅମୋଘଙ୍କୁ ବିତାଡିତ କରାଯାଇଥିବାବେଳେ ଉପରୋକ୍ତ ମନ୍ତବ୍ୟ ସମ୍ପୂର୍ଣ୍ଣଭାବେ ତାଙ୍କର ନିଜସ୍ୱ ବୋଲି ଇସ୍କନ୍ ତରଫରୁ ସଫେଇ ଦିଆଯାଇଛି ।