ଗ୍ୱାଲିୟର: ଏଠାରେ ଚାଲିଥିବା ଇରାନୀ କପ୍ରେ ଶୁକ୍ରବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅବଶିଷ୍ଟ ଭାରତ ୨୭୫ ରନ୍ରେ ଆଗୁଆ ରହିଛି । ଦଳ ପ୍ରଥମ ଇନିଂସରେ ୪୮୪ ରନ୍ କରିବା ପରେ ମଧ୍ୟପ୍ରଦେଶର ପ୍ରଥମ ଇନିଂସକୁ ୨୯୪ ରନ୍ରେ ରୋକିଥିଲା । ମଧ୍ୟପ୍ରଦେଶର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ୟଶ ଦୁବେ ଶତକୀୟ ଇନିଂସ ହାସଲ କରିବା ପରେ ଅବଶିଷ୍ଟ ଭାରତ ପ୍ରଥମ ଇନିଂସ ଭିତ୍ତିରେ ୧୯୦ ରନ୍ରେ ଆଗୁଆ ରହିଥିଲା ।
ଏହାପରେ ଦଳ ଦ୍ୱିତୀୟ ଇନିଂସରେ ଶୁକ୍ରବାର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୮୫ ରନ୍ କରିଛି । ଓପନର ତଥା ଅଧିନାୟକ ମୟଙ୍କ ଅଗରୱାଲ୍ ଶୂନରେ ଆଉଟ୍ ହେବା ପରେ ଅନ୍ୟତମ ଓପନର ଅଭିମନ୍ୟୁ ଈଶ୍ୱରନ୍ ଓ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଜୈସ୍ୱାଲ୍ ଯଥାକ୍ରମେ ୨୬ (୨ ଚୌକା, ୧ ଛକା) ଓ ୫୮ ରନ୍ (୮ ଚୌକା, ୧ ଛକା) କରି ଅପରାଜିତ ଅଛନ୍ତି । ମଧ୍ୟପ୍ରଦେଶ ପକ୍ଷରୁ ଏକମାତ୍ର ୱିକେଟ୍ଟି କୁମାର କାର୍ତ୍ତିକେୟ ନେଇଛନ୍ତି ।
ପୂର୍ବରୁ ତୃତୀୟ ଦିନର ଖେଳ ମଧ୍ୟପ୍ରଦେଶର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ୟଶ୍ ଦୁବେ (୫୩) ଓ ହର୍ଷ ଗାସ୍ୱଲି (୪୭) ୧୧୨/୩ରୁ ଖେଳ ଆରମ୍ଭ କରିଥିଲେ । ଗାୱଲି ୯ଟି ଚୌକା ସହ ୫୪ ରନ୍ କରି ଆଉଟ୍ ହେବା ପରେ ଦୁବେ ଓ ସାରାଂଶ ଜୈନ୍ଙ୍କ ମଧ୍ୟରେ ୯୬ ରନ୍ର ଭାଗୀଦାରୀ ହୋଇଥିଲା । ଇତିମଧ୍ୟରେ ଦୁବେ ତାଙ୍କର ଶତକ ପୂରଣ କରିଥିଲେ । ୧୬ଟି ଚୌକା ସହ ୧୦୯ ରନ୍ରେ ଦୁବେ ଆଉଟ୍ ହେବା ପରେ ସାରାଂଶ ୬୬ ରନ୍ର ଇନିଂସ ଖେଳିଥିଲେ, ଯେଉଁଥିରେ ୭ଟି ଚୌକା ଓ ଗୋଟିଏ ଛକା ରହିଥିଲା ।
ଏହାଛଡ଼ା ଅଙ୍କିତ କୁଶୱାହ ୨ଟି ଚୌକା ଓ ଗୋଟିଏ ଛକା ସହ ୨୨ ରନ୍ କରି ଅପରାଜିତ ଥିଲେ । ଅବଶିଷ୍ଟ ଭାରତ ପକ୍ଷରୁ ପୁଲକିତ ନାରଙ୍ଗ ୪ଟି, ନବଦୀପ ସୈନୀ ୩ଟି, ମୁକେଶ କୁମାର ୨ଟି ଓ ସୌରଭ କୁମାର ଗୋଟିଏ ୱିକେଟ୍ ନେଇଥିଲେ ।