32.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ଆଇପିଏଲ୍‌-୧୫: ଆଜି ରୟାଲ୍ସ-ଟାଇଟାନ୍ସ ଟାଇଟଲ୍ ଲଢ଼େଇ

ଆଇପିଏଲ୍‌-୧୫: ଆଜି ରୟାଲ୍ସ-ଟାଇଟାନ୍ସ ଟାଇଟଲ୍ ଲଢ଼େଇ

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣର ଉଦ୍‌ଯାପନୀ ମୁକାବିଲା ରବିବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଏଥିରେ ସଂସ୍କରଣର ଦୁଇଟି ସର୍ବଶ୍ରେଷ୍ଠ ଟିମ୍ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବେ । ଦୁଇ ଦଳ ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ପ୍ରଥମ ଦୁଇଟି ସ୍ଥାନ ଦଖଲ କରିଥିଲେ । ଫଳସ୍ୱରୂପ ସେମାନଙ୍କ ମଧ୍ୟରେ କ୍ୱାଲିଫାୟର୍‌-୧ ଖେଳାଯାଇଥିଲା । ତେଣୁ ରବିବାର ଏହି ମ୍ୟାଚ୍‌ର ପୁନରାବୃତ୍ତି ହେବ । ତେବେ ଉଭୟ ଦଳର ଫାଇନାଲ୍ ପର୍ଯ୍ୟନ୍ତ ଅଭିଯାନ ବିଷୟରେ ଆଲୋଚନା କଲେ, ଟାଇଟାନ୍ସ ୧୧ଟି ମ୍ୟାଚ୍ ଜିତିଥିବା ବେଳେ ରୟାଲ୍ସ ୧୦ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

ଟାଇଟାନ୍ସ ୭ଟି ମ୍ୟାଚ୍‌ରେ ଶେଷ ଓଭର୍‌ରେ ବିଜୟୀ ହୋଇ କୌଣସି ପ୍ରକାର ଚାପର ବଶବର୍ତ୍ତୀ ହେବା ସତ୍ତ୍ୱେ ଏହାର ସଫଳ ମୁକାବିଲା କରିବାର ଦକ୍ଷତା ରଖୁଥିବା ପ୍ରମାଣିତ କରିପାରିଛି । ତା’ଛଡ଼ା ରୟାଲ୍ସ ବିପକ୍ଷରେ ଚଳିତ ସଂସ୍କରଣରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଡେବ୍ୟୁଟାଣ୍ଟ୍ ଫ୍ରାଞ୍ଚାଇଜି ଅପରାଜେୟ ରହିଛି । ଦଳ ଯଦିଓ ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିଛି, କିନ୍ତୁ ଦଳର ଅଧିନାୟକଙ୍କ ପାଖରେ ପୂର୍ବରୁ ଏକାଧିକ ବାର ଟାଇଟଲ୍ ଲଢ଼େଇର ଅଭିଜ୍ଞତା ରହିଛି । କାରଣ ପୂର୍ବରୁ ସେ ୫ ଥରର ଟାଇଟଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ । ଦଳ ଅଦ୍ୟାବଧି ସିଜନ୍‌ରେ ଦଳଗତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିବାରୁ ଆଜି ଫାଇନାଲ୍‌ରେ ଉପନୀତ ହୋଇପାରିଛି । ଅନ୍ୟପକ୍ଷରେ ରୟାଲ୍ସ ମୁଖ୍ୟତଃ ଓପନର ଜୋସ୍ ବଟଲର୍‌ଙ୍କ ପ୍ରଦର୍ଶନକୁ ଆଧାର କରି ଟାଇଟଲ୍ ଲଢ଼େଇ ପର୍ଯ୍ୟନ୍ତ ଆସିପାରିଛି । ଏହି ତାରକା ଖେଳାଳି ଜଣକ ୪ଟି ଲେଖାଏଁ ଅର୍ଦ୍ଧଶତକ ଓ ଶତକ ହାସଲ କରି ୮ ଶହରୁ ଊର୍ଦ୍ଧ୍ୱ ରନ୍ କରି ଅରେଞ୍ଜ୍ କ୍ୟାପ୍ ଜିତିବା ନିଶ୍ଚିତ କରିସାରିଛନ୍ତି ।

କିନ୍ତୁ ବ୍ୟାଟିଂ ଲାଇନ୍‌ରେ ଶିମରୋନ୍ ହେଟମେୟର୍‌ଙ୍କୁ ବାଦ୍ ଦେଲେ ମଧ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ନିରାଶ କରିଆସିଛି । ଏହା ନିଶ୍ଚିତ ଭାବେ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ୱାଧୀନ ରୟାଲ୍ସର ଦ୍ୱିତୀୟ ଟ୍ରଫି ଅର୍ଜନରେ ବାଧା ସୃଷ୍ଟି କରିବ । କିନ୍ତୁ ଏଠାକାର ପିଚ୍ ସହ ପରିଚିତ ହୋଇସାରିଥିବାରୁ ଏହା ଦଳକୁ ଫାଇନାଲ୍‌ରେ ଫାଇଦା ଦେବା ମନେହୁଏ । ସେହିପରି ପ୍ରଥମ ଥର ପାଇଁ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ କୋଟିଏରୁ ଊର୍ଦ୍ଧ୍ୱ ଦର୍ଶକ ପ୍ରତ୍ୟକ୍ଷ ଭାବେ ଦେଖିପାରିବେ । ବିଶେଷକରି ଗତ ୩ଟି ସଂସ୍କରଣର ଫାଇନାଲ୍ ବିନା ଦର୍ଶକରେ ଖେଳାଯାଇଥିବା ବେଳେ ଏବେ ଦର୍ଶକଭର୍ତ୍ତି ଷ୍ଟାଡିୟମ୍‌ରେ ଫାଇନାଲ୍ ଖେଳାଯିବାକୁ ଥିôବାରୁ ଏହାକୁ ନେଇ ଆଇପିଏଲ୍ କର୍ତ୍ତୃପକ୍ଷ ମଧ୍ୟ ଭରପୂର ଉତ୍କଣ୍ଠାରେ ଥିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking