27.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ

କୋଲ୍‌କାତା: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ମଙ୍ଗଳବାରଠାରୁ ପ୍ଲେଅଫ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଡେବ୍ୟୁଟାଣ୍ଟ୍ ଗୁଜରାଟ ଟାଇଟାନ୍ସ । ଦଳ କ୍ୱାଲିଫାୟର୍‌-୧ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ହରାଇ ଏହି ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ପରାଜୟ ବରଣ କରିଥିବା ରାଜସ୍ଥାନ ଆସନ୍ତା ୨୭ ତାରିଖରେ କ୍ୱାଲିଫାୟର୍‌-୨ ଖେଳିବ । ପ୍ରଥମେ ବ୍ୟାଟିଂ ପାଇ ରାଜସ୍ଥାନ ୬ ୱିକେଟ୍‌ରେ ୧୮୮ ରନ୍ କରିଥିବା ବେଳେ ଜବାବରେ ଗୁଜରାଟ ୧୯.୩ ଓଭର୍‌ରେ ମାତ୍ର ୩ଟି ୱିକେଟ୍ ହରାଇ ୧୯୧ ରନ୍ କରି ବିଜୟୀ ହୋଇଛି ।

ରାଜସ୍ଥାନ ଓପନର ଯଶସ୍ୱୀ ଜୈସ୍ୱାଲ୍ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟତମ ଓପନର ଜୋସ୍ ବଟଲର୍ ଓ ଅଧିନାୟକ ସଞ୍ଜୁ ସାମ୍‌ସନ୍ ୬୮ ରନ୍‌ର ଭାଗୀଦାରୀ କରିଥିଲେ । ସାମ୍‌ସନ୍ ୨୬ଟି ବଲ୍‌ରେ ୫ଟି ଚୌକା ଓ ୩ଟି ଛକା ସହ ୪୭ ରନ୍ କରିଥିବା ବେଳେ ବଟଲର୍ ୫୬ଟି ବଲ୍ ଖେଳି ୧୨ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୮୯ ରନ୍‌ର ବଳିଷ୍ଠ ଇନିଂସ ଖେଳିଥିଲେ । ଏହାଛଡ଼ା ଦେବଦତ୍ତ ପାଡିକଲ୍ ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୮ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ସାଇ କିଶୋର, ମହମ୍ମଦ ଶମୀ ଓ ୟଶ୍ ଦୟାଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଡେଭିଡ୍ ମିଲର୍ ସର୍ବାଧିକ ୬୮ ରନ୍ କରିଥିବା ବେଳେ ଅଧିନାୟକ ହାର୍ଦ୍ଦିକଙ୍କ ସହ ଚତୁର୍ଥ ୱିକେଟ୍‌ରେ ଅବିଭାଜିତ ୧୦୬ ରନ୍‌ର ମଜଭୁତ ଭାଗୀଦାରୀ କରିଥିଲେ । ମିଲର୍‌ଙ୍କ ଇନିଂସରେ ୩ଟି ଚୌକା ଓ ଶେଷ ଓଭର୍‌ରେ କ୍ରମାଗତ ୩ଟି ସହ ୫ଟି ଛକା ରହିଥିବା ବେଳେ ହାର୍ଦ୍ଦିକ ୫ଟି ଚୌକା ମାଧ୍ୟମରେ ୪୦ ରନ୍ କରିଥିଲେ । ଏହା ପୂର୍ବରୁ ଓପନର ଶୁବମାନ ଗିଲ୍ ୨୧ଟି ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହ ୩୫ ଏବଂ ମାଥ୍ୟୁ ୱେଡ୍ ୬ଟି ଚୌକା ସହ ୩୫ ରନ୍‌ର ଅବଦାନ ଦେଇଥିଲେ । ବୁଧବାର ପ୍ଲେଅଫ୍ ରାଉଣ୍ଡ୍‌ରେ ଏଲିମିନେଟର୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମଧ୍ୟରେ ଖେଳାଯିବ ।

ସଂକ୍ଷିପ୍ତ ସ୍କୋର୍‌: ରାଜସ୍ଥାନ ରୟାଲ୍ସ-୧୮୮/୬, ୨୦ ଓଭର୍ (ଜୋସ୍ ବଟଲର୍‌-୮୯, ସଞ୍ଜୁ ସାମ୍‌ସନ୍‌-୪୭, ହାର୍ଦ୍ଦିକ ପାଣ୍ଡ୍ୟା-୧୪/୧, ସାଇ କିଶୋର-୪୩/୧); ଗୁଜରାଟ ଟାଇଟାନ୍ସ୧୯୧/୩, ୧୯.୩ ଓଭର୍ (ଡେଭିଡ୍ ମିଲର୍‌-୬୮, ହାର୍ଦ୍ଦିକ ପାଣ୍ଡ୍ୟା-୪୦, ଟ୍ରେଣ୍ଟ୍ ବୋଲ୍ଟ-୩୮/୧, ଓବେଦ୍ ମ୍ୟାକ୍‌କୟ-୪୦/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking