ମୁମ୍ବାଇ: ଚଳିତ ଆଇପିଏଲ୍ରେ ଶୁକ୍ରବାର ୫୧ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ଗୁଜରାଟ ଟାଇଟାନ୍ସକୁ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍ରେ ପରାସ୍ତ କରି ସଂସ୍କରଣରେ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ବାଇ ଆମନ୍ତ୍ରଣ ପାଇବା ପରେ ୬ ୱିକେଟ୍ ବିନିମୟରେ ୧୭୭ ରନ୍ କରିଥିଲା । ଏହାର ଜବାବରେ ଗୁଜରାଟ ୨୦ ଓଭର୍ରେ ୫ଟି ୱିକେଟ୍ ହରାଇ ୧୭୨ ରନ୍ କରି ସଂସ୍କରଣରେ ତା’ର ତୃତୀୟ ପରାଜୟ ବରଣ କରିଛି ।
ଦୁଇ ଓପନର ଈଶାନ୍ କିଶନ୍ ଓ ଅଧିନାୟକ ରୋହିତ ଶର୍ମା ୭୪ ରନ୍ ଯୋଡ଼ି ଦଳର ଭିତ୍ତିଭୂମି ମଜଭୁତ କରିଥିଲେ । ରୋହିତ ମାତ୍ର ୨୮ଟି ବଲ୍ରେ ୫ଟି ଚୌକା ଓ ୨ଟି ଛକା ସହ ୪୩ ରନ୍ କରି ପ୍ରଥମ ୱିକେଟ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । କିଶନ୍ ୨୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ୪୫ ରନ୍ର ଅବଦାନ ଦେଇଥିଲେ । ତେବେ ଶେଷ ଭାଗରେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିବା ଫଳରେ ମୁମ୍ବାଇ ଏକ ଆହ୍ୱାନମୂଳକ ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା । ତିଲକ ବର୍ମା ଓ ଡେଭିଡ୍ଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ମାତ୍ର ୧୫ଟି ବଲ୍ରେ ୩୬ ରନ୍ର ଭାଗୀଦାରୀ ହୋଇଥିଲା । ତିଲକ ୨ଟି ଚୌକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ ହେଁ ଡେଭିଡ୍ ମାତ୍ର ୨୧ଟି ବଲ୍ର ସମ୍ମୁଖୀନ ହୋଇ ୪୪ ରନ୍ରେ ଅପରାଜିତ ଥିଲେ । ତାଙ୍କର ଏହି ଧୂଆଁଧାର ଇନିଂସରେ ୨ଟି ଚୌକା ସହ ୪ଟି ବଡ଼ ଛକା ସାମିଲ୍ ଥିଲା । ଅନ୍ୟମାନଙ୍କ ମଧ୍ୟରେ କାଇରନ୍ ପୋଲାର୍ଡ ୧୪ଟି ବଲ୍ର ସମ୍ମୁଖୀନ ହୋଇ ମାତ୍ର ୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ପକ୍ଷରୁ ରଶିଦ୍ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ଆଲଜାରି ଜୋସେଫ୍, ଲକି ଫର୍ଗୁସନ୍ ଓ ପ୍ରଦୀପ ସାଙ୍ଗୱାନ୍ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ମୁମ୍ବାଇ ପରି ଗୁଜରାଟର ଦୁଇ ଓପନର ମଧ୍ୟ ମଜଭୁତ ଭାଗୀଦାରୀ କରି ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲେ । ଋଦ୍ଧିମାନ୍ ସାହା ଓ ଶୁବମାନ ଗିଲ୍ ୧୦୬ ରନ୍ର ଦମ୍ଦାର ପାର୍ଟନରଶିପ୍ କରିଥିଲେ । ଏହି ଯୋଡ଼ି ମଧ୍ୟରୁ ଋଦ୍ଧିମାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ଶୁବମାନ ୩୬ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୫୨ ରନ୍ କରି ଆଉଟ୍ ହେବା ଫଳରେ ଶତକୀୟ ଭାଗୀଦାରୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ପରେ ପରେ ଋଦ୍ଧିମାନ୍ ମଧ୍ୟ ଆଉଟ୍ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ସେ ୪୦ଟି ବଲ୍ର ସମ୍ମୁଖୀନ ହୋଇ ୬ଟି ଚୌକା ଓ ୨ଟି ଛକା ଜରିଆରେ ୫୫ ରନ୍ର ଅବଦାନ ଦେଇସାରିଥିଲେ । ସାଇ ସୁଦର୍ଶନ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୪ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ହିଟ୍ୱିକେଟ୍ ହୋଇଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୪ଟି ବଲ୍ରେ ୪ଟି ଚୌକା ସହ ୨୪ ରନ୍ କରିଥିଲେ । ତା’ଛଡ଼ା ଡେଭିଡ୍ ମିଲର୍ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୯ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ମୁରୁଗାନ୍ ଅଶ୍ୱିନ୍ ୨ଟି ୱିକେଟ୍ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ-୧୭୭/୬, ୨୦ ଓଭର୍ (ଈଶାନ୍ କିଶନ୍-୪୫, ଟିମ୍ ଡେଭିଡ୍-୪୪, ରଶିଦ୍ ଖାନ୍-୨୪/୨, ପ୍ରଦୀପ ସାଙ୍ଗୱାନ୍-୨୩/୧); ଗୁଜରାଟ ଟାଇଟାନ୍ସ-୧୭୨, ୨୦ ଓଭର୍ (ଋଦ୍ଧିମାନ୍ ସାହା-୫୫, ଶୁବମାନ ଗିଲ୍-୫୨, ମୁରୁଗାନ୍ ଅଶ୍ୱିନ୍-୨୯/୨, କାଇରନ୍ ପୋଲାର୍ଡ-୧୩/୧) ।