କୋଲ୍କାତା: ଜିମ୍ବାୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାୱାର୍ ଆଇପିଏଲ୍ର ନୂଆ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିମ୍ର ନାମ ସ୍ଥିର କରାଯାଇ ନାହିଁ । ଫ୍ଲାୱାର୍ ଆଇପିଏଲ୍ର ଗତ ଦୁଇଟି ସିଜନ୍ରେ ପଞ୍ଜାବ କିଙ୍ଗ୍ସ ଟିମ୍ର ସହାୟକ କୋଚ୍ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଗତ ଦୁଇଟି ସିଜନ୍ରେ ପଞ୍ଜାବର ଅଧିନାୟକ ଥିବା କେଏଲ୍ ରାହୁଲ ସଞ୍ଜୀବ ଗୋଏଙ୍କା ମାଲିକାନାରେ ଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜିରେ ଯୋଗ ଦେବାର ସମ୍ଭାବନା ରହିଛି ।
ଏଠାରେ ଜାରି ଏକ ବିବୃତିରେ ଫ୍ଲାୱାର୍ କହିଛନ୍ତି, ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସହ ଯୋଡ଼ିହୋଇ ମୁଁ ବହୁ ଉତ୍ସାହିତ ଅଛି ଏବଂ ଏହି ସୁଯୋଗ ପାଇଁ କୃତଜ୍ଞ । ୧୯୯୩ରେ ମୋର ପ୍ରଥମ ଭାରତ ଗସ୍ତ ପରେ ସର୍ବଦା ଭାରତ ଗସ୍ତ କରିବା, ଏଠାରେ ଖେଳିବା ଏବଂ କୋଚିଂ ଦେବା ମୋର ପସନ୍ଦ ।’ ସେ ଆହୁରି କହିଥିଲେ, ଏକ ଆଇପିଏଲ୍ ଫ୍ରାଞ୍ଚାଇଜ୍ର ନେତୃତ୍ୱ ନେବା ବହୁ ସମ୍ମାନର ବିଷୟ ଏବଂ ଗୋଏଙ୍କା ଓ ଲକ୍ଷ୍ନୌ ଟିମ୍ ସହ କାମ କରିବା ନେଇ ମୁଁ ଯଥେଷ୍ଟ ଉତ୍ସୁକ ରହିଛି ।
ଅନ୍ୟପକ୍ଷରେ ଫ୍ଲାୱାର୍ଙ୍କୁ ଫ୍ରାଞ୍ଚାଇଜ୍ର ମୁଖ୍ୟ କୋଚ୍ ନିଯୁକ୍ତ କରିବା ପରେ ସଞ୍ଜୀବ ଗୋଏଙ୍କା କହିଛନ୍ତି, ‘ଜଣେ ଖେଳାଳି ଓ କୋଚ୍ ଭାବେ ଆଣ୍ଡି କ୍ରିକେଟ୍ ଇତିହାସରେ ଅନେକ ଛାପ ଛାଡ଼ିଛନ୍ତି । ଆଶା କରୁଛୁ ସେ ଆମ ଭିଜନ୍ ଅନୁକୂଳ କାମ କରିବେ ଏବଂ ଆମ ଟିମ୍ର କ୍ରେଡିଟ୍ ବଢ଼ାଇବେ ।’ ଜିମ୍ବାୱେର ଏହି ମହାନ୍ ଖେଳାଳି ଇଂଲଣ୍ଡ ଜାତୀୟ ଟିମ୍ର ମଧ୍ୟ କୋଚ୍ ଥିଲେ । ତାଙ୍କ କୋଚିଂରେ ଇଂଲଣ୍ଡ ୨୦୧୦ରେ ଟି-୨୦ ବିଶ୍ୱକପ୍ ଜିତିବା ସହ ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ହାସଲ କରିଥିଲା । ସଞ୍ଜୀବ ଗୋଏଙ୍କା ଅଧ୍ୟକ୍ଷତାରେ ଥିବା ଆର୍ପି-ଏମ୍ଜି ଗ୍ରୁପ୍ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ ୭୦୯୦ କୋଟି ଟଙ୍କାରେ କିଣିଥିଲା ।