ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କଳା, ବାଣିଜ୍ୟ ଓ ବିଜ୍ଞାନରେ ଇଣ୍ଟିଗ୍ରଟେଡ୍ ବିଇଡି ପାଠ୍ୟକ୍ରମ ଆରମ୍ଭ କରାଯିବ । ଏଣିକି ଶିକ୍ଷକତା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ +୨ ପରେ ସିଧାସଳଖ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବେ । ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ସେମାନଙ୍କ ଇଚ୍ଛା ମୁତାବକ ବିଏ ବିଇଡି, ବିଏସ୍ସି ବିଇଡି ଓ ବିକମ୍ ବିଇଡି ଆଦି ପାଠ୍ୟକ୍ରମରେ ନାମ ଲେଖାଇବେ । ଛାତ୍ରଛାତ୍ରୀ ଏକା ସାଙ୍ଗରେ +୨ ଓ ସ୍ନାତକ ହାସଲ କରିବେ । ଏନସିଟିଇ ପକ୍ଷରୁ ଏହାକୁ ଅନୁମୋଦନ ମିଳିଥିବାବେଳେ ନୂତନ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଇବାରେ ଏହା ଏକ ମାଇଲ୍ ଖୁଣ୍ଟ ସାଜିବ ବୋଲି ଏନ୍ସିଟିଇ କହିଛି ।
ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ଭାବେ ଦେଶର ୫୦ଟି ଶିକ୍ଷାନୁଷ୍ଠାନରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ । ୨୦୩୦ ସୁଦ୍ଧା ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍ ବିଇଡିକୁ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି । ସୂଚନାଯୋଗ୍ୟ ଓଡ଼ିଶାରେ ୨୦୧୯ ମସିହାରୁ ଇଣ୍ଟିଗ୍ରେଟେଡ୍ ବିଇଡି ଆରମ୍ଭ ହୋଇଛି । କେବଳ ସ୍ୱୟଂଶାସିତ କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍ ବିଇଡି ଅଧ୍ୟୟନ କରିବାର ସୁଯୋଗ ଲାଭ କରିଛନ୍ତି । ତେବେ ରାଜ୍ୟରେ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ବିଇଡି ପଢ଼ିବାର ସୁଯୋଗ ଥିବାବେଳେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଲାଗି ବିଇଡି କରିବାର ପ୍ରାବଧାନ ନାହିଁ ।