29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଇସିଏମ୍‌ଆର୍ ଡିଜି ରାଜୀବ ବହଲ୍‌ଙ୍କ ସୂଚନା; ନିପା ମୃତ୍ୟୁ ହାର କରୋନା ତୁଳନାରେ ବହୁ ଅଧିକ

ଆଇସିଏମ୍‌ଆର୍ ଡିଜି ରାଜୀବ ବହଲ୍‌ଙ୍କ ସୂଚନା; ନିପା ମୃତ୍ୟୁ ହାର କରୋନା ତୁଳନାରେ ବହୁ ଅଧିକ

କେରଳରେ ଆଉ ଜଣେ ସଂକ୍ରମିତ ଚିହ୍ନଟ
ତିରୁଅନନ୍ତପୁରମ୍ : ନିପା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହାର କୋଭିଡ୍‌-୧୯ ତୁଳନାରେ ବହୁ ଅଧିକ ବୋଲି ଶୁକ୍ରବାର ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଡିଜି ରାଜୀବ ବହଲ୍ କହିଛନ୍ତି । ଏକ ପ୍ରେସ୍ କନ୍‌ଫରେନ୍ସରେ ବହଲ୍ କହିଛନ୍ତି କରୋନା ଭୂତାଣ ସଂକ୍ରମଣରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ହୋଇଥିବା ବେଳେ ନିପା ସଂକ୍ରମଣ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ । ଦକ୍ଷିଣ ଭାରତରେ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ବ୍ୟାପକତାକୁ ରୋକିବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ତେବେ କେରଳରେ ନିପା ଭୂତାଣୁ କାହିଁକି ବ୍ୟାପୁଛି ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି । ବହଲ କହିଛନ୍ତି, ୨୦୧୮ରେ ବାଦୁଡ଼ି ଠାରୁ ମନୁଷ୍ୟଙ୍କୁ ଏହି ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଥିଲା ।

ତେବେ ଏହା ପ୍ରମାଣିତ ହୋଇପାରି ନଥିବାରୁ ବାଦୁଡ଼ିଠାରୁ ସଂକ୍ରମଣ ମନୁଷ୍ୟକୁ ବ୍ୟାପୁଥିବା ନେଇ ଆମେ ନିଶ୍ଚିତ ନୋହୁଁ । ଏହା ସତ୍ତ୍ୱେ ଏବେ ଏହାର କାରଣ ଜାଣିବା ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ଆଇସିଏମ୍‌ଆର୍ ଡିଜି କହିଛନ୍ତି । ରାଜୀବ ବହଲ କହିଛନ୍ତି, ଆମ ନିକଟରେ ମାତ୍ର ୧୦ ରୋଗୀଙ୍କ ପାଇଁ ମନୋକ୍ଲୋନଲ୍ ଆଣ୍ଟିବଡି ଡୋଜ୍ ରହିଛି । ଏହା କ୍ୟାନ୍‌ସନ୍ ସମେତ ବହୁ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । ସେ କହିଛନ୍ତି, ଏହାର ଆଉ ୨୦ ଡୋଜ୍ ମଗାଯାଇଛି, ଯାହା ଫଳରେ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ରୋଗୀଙ୍କୁ ଦିଆଯାଇପାରିବ । ବହଲ କହିଛନ୍ତି, ମନୋକ୍ଲୋନଲ୍ ଆଣ୍ଟିବଡି ପ୍ରଭାବର ପରୀକ୍ଷଣ କରାଯାଇ ନାହିଁ । କେବଳ ଗୋଟିଏ ପର୍ଯ୍ୟାୟ ପରୀକ୍ଷଣ ହୋଇଛି । ବିଶ୍ୱ ସ୍ତରରେ ଏକ ୧୪ ଜଣ ରୋଗୀଙ୍କୁ ଏହା ସଫଳତାର ସହିତ ପ୍ରଦାନ କରାଯାଇଥିବା ବେଳେ କୌଣସି ଭାରତୀୟଙ୍କୁ ଏହି ଆଣ୍ଟିବଡି ଦିଆଯାଇ ନାହିଁ ।

ଇତିମଧ୍ୟରେ କେରଳର କୋଝିକୋଡରେ ଆଉ ଜଣେ ୩୯ ବର୍ଷୀୟ ନିପା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ହୋଇଥିବା ବେଳେ ଏହା ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇସାରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, ମୃତକଙ୍କୁ ଏବେ ବି କୋଝିକୋଡ଼ ହସ୍ପିଟାଲ୍‌ରେ ଅବ୍‌ଜର୍ଭେସନ୍‌ରେ ରଖାଯାଇଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି ।କୋଝିକୋଡ଼ ଜିଲ୍ଲାର ୭ ପଞ୍ଚାୟତ ଆଟାନଚେରି, ମାରୁଥନକାରା, ତିରୁଭାଲୁର, କୁଟ୍ଟିୟାଦି, ଭିଲ୍ୟାପଲ୍ଲୀ, କାୟାକୋଡ୍ଡି ଓ କାଭିଲୁମ୍‌ପାରାକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ମୃତକଙ୍କ ସମ୍ପର୍କରେ ଆସିଥିବା ହାଇରିସ୍କର ୧୫ ଜଣ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅନୁସାରେ ସଂକ୍ରମିତଙ୍କ ସମ୍ପର୍କ ତାଲିକାରେ ୯୫୦ ଲୋକ ସାମିଲ ଥିବାବେଳେ ଏହା ମଧ୍ୟରୁ ୨୧୩ ହାଇ ରିସ୍କ କାଟାଗୋରୀର । ଏହି ତାଲିକାରେ ୨୮୭ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking