ନୂଆଦିଲ୍ଲୀ: ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଇଣ୍ତିଗୋ ପକ୍ଷରୁ ୬ଟି ଅନ୍ତର୍ଜାତୀୟ ସ୍ଥଳକୁ ବିମାନ ଉଡାଣ ବାତିଲ କରାଯାଇଛି। ପୂର୍ବରୁ କମ୍ପାନି ଏହାର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣର କିଛି ଅଂଶ ବାତିଲ କରିସାରିଛି । କମ୍ପାନି ହଂକଂ, ସାଂଘାଇ, ହୋ ଚି ମିନ୍ ସିଟି, ଲଙ୍ଗକାୱି, କ୍ରାବି ଓ ସିଏମ୍ ରିପ୍କୁ ଉଡ଼ାଣ ବାତିଲ କରିଛି । ଆସନ୍ତା ଜୁଲାଇ ୧ ପରଠାରୁ ଏହି ସହରଗୁଡ଼ିକୁ କମ୍ପାନିର ଉଡ଼ାଣ ବନ୍ଦ ରହିବ। ଏହି ସବୁ ରୁଟ୍ ପାଇଁ ବୁକିଂ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ। ଯଦି ଚାହିଦାରେ ସୁଧାର ହେବ ତେବେ କମ୍ପାନି ଶୀଘ୍ର ଏହାର ଉଡ଼ାଣ ଆରମ୍ଭ କରିବା ବିଷୟରେ ବିଚାର କରିବ।ଏହି ନିଷ୍ପତ୍ତି ପଛର କାରଣ ସମ୍ପର୍କରେ କମ୍ପାନି କହିଛି ଚାହିଦା କମ୍ ରହିବା ଓ ପରିଚାଳନା ପରିବେଶ ଆହ୍ବାନପୂର୍ଣ୍ଣ ଥିବାରୁ କମ୍ପାନି ଉଡ଼ାଣ ବାତିଲ କରିଛି।ଏହି ସମୟରେ ସାଧାରଣତଃ କେତେକ ଅନ୍ତର୍ଜାତୀୟ ରୁଟ୍ରେ ଚାହିଦା କମ୍ ରହିଥାଏ। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲ ଦର ମହଙ୍ଗା ହେବା ଏବଂ ବିଭିନ୍ନ ଦେଶରେ ଆକାଶ ମାର୍ଗ କଟକଣା ଭାରତୀୟ ଏୟାର ଲାଇନ୍ ଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ବହୁତ ବଢ଼ାଇ ଦେଇଛି। ତାହାକୁ ନଜରରେ ରଖି କମ୍ପାନି ଏହାର ଉଡ଼ାଣରେ ପରିବର୍ତ୍ତନ କରୁଛି। ଉଡ଼ାଣ ବାତିଲ କରିବା ସତ୍ତ୍ବେ କମ୍ପାନି ସପ୍ତାହକୁ ୧୮୦୦ ଅନ୍ତର୍ଜାତୀୟ ଉଡ଼ାଣ କରୁଛି।










