ବ୍ରହ୍ମପୁର: ନିଜ ଦେହରେ ପେଟ୍ରୋଲ ଢାଳି ଜଳିଗଲେ କନେଷ୍ଟବଳ। ବ୍ରହ୍ମପୁର ବିଜିପୁର ପୁଲିସ କାର୍ଟର୍ସରେ ଘଟିଛି ଅଭାବନୀୟ ଘଟଣା। ଆତ୍ମାହୁତି ଉଦ୍ୟମ କରିଥିବା କନେଷ୍ଟବଳ ହେଲେ ଆଶୁତୋଷ ମୃଦଙ୍ଗିଆ। ପାରିବାରିକ କଳହରୁ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି। ଆଶୁତୋଷ ଓ ଏମଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ସେହି ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସହ ପ୍ରେମ ବିବାହ କରିଥିଲେ ଆଶୁତୋଷ। ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗି ରହୁଥିଲା। ତେବେ ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ ଆଶୁତୋଷ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ପରେ ଜେଲରୁ ମୁକୁଳିଥିଲେ। ସପ୍ତାହକ ତଳେ ଜାମିନରେ ଆସିଥିବା ଆଶୁତୋଷ ଶୁକ୍ରବାର ରାତିରେ ବିଜିପୁରରେ ଥିବା ପୁଲିସ କନେଷ୍ଟବଳ କ୍ବାର୍ଟର୍ସକୁ ଯାଇଥିଲେ। ତେବେ ସେଠାରେ ପୁନର୍ବାର ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଆଉ ଦେଖୁ ଦେଖୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାରେ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି।










