ନୂଆଦିଲ୍ଲୀ: ଭାରତର ସୀମାରେ ପ୍ରାୟ ସବୁ ଦିନ ଆତଙ୍କବାଦୀଙ୍କ ସାମନା କରୁଛନ୍ତି ଭାରତର ସୁରକ୍ଷାକର୍ମୀ । ବିଭିନ୍ନ ସମୟରେ ଅନେକ ଭାରତୀୟ ବୀର ଯବାନ ସହିଦ ହେଉଛନ୍ତି । କିନ୍ତୁ ହାର ମାନିନି ଇଣ୍ଡିଆନ ଆର୍ମି । ପ୍ରତ୍ୟେକ ବୀର ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସେନା । ତେବେ ୨୦୨୨ରେ ମୋଟ ୧୭୨ ଜଣ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଟାର୍ଗେଟରେ ଆସିଛନ୍ତି ।
ଜମ୍ମୁ କାଶ୍ମୀରରେ ଚଳିତବର୍ଷ ୧୭୨ ଜଣ ଆତଙ୍କୀ ଢେର ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ସର୍ବାଧିକ ଆତଙ୍କୀ ଲସ୍କର ଇ ତୋଇବା ସଂଗଠନର ବୋଲି ଜାଣିବାକୁ ମିଳିଛି । ଏ ନେଇ କାଶ୍ମୀର ଏଡିଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ସେହିପରି ଆତଙ୍କୀ ସଂଗଠନରେ ନୂଆ ଆତଙ୍କୀ ଭର୍ତ୍ତି ମଧ୍ୟ ବହୁ ପରିମାଣରେ କମ୍ ହୋଇଥିବା ଜାଣିବାକୁ ମିଳିଛି । ନୂଆକରି ଆତଙ୍କୀ ସଂଗଠନରେ ଭର୍ତ୍ତି ହୋଇଥିବା ୬୫ ଆତଙ୍କବାଦୀଙ୍କୁ ମୃତଶଯ୍ୟାରେ ଶୁଆଇଛନ୍ତି ସୁରକ୍ଷାକର୍ମୀ । ସେହିପରି ଚଳିତ ବର୍ଷ ପ୍ରଚୁର ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏନ୍କାଉଣ୍ଟର ବେଳେ ୩୬୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।