33.1 C
Bhubaneswar
Thursday, April 25, 2024
Homeଖେଳଚତୁର୍ଥ ଟି-୨୦ ଜିତି ସିରିଜ୍ ହାତେଇଲା ଭାରତ

ଚତୁର୍ଥ ଟି-୨୦ ଜିତି ସିରିଜ୍ ହାତେଇଲା ଭାରତ

ଲାଉଡରହିଲ: ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୧ରେ ଜିତିନେଇଛି ଭ୍ରମଣକାରୀ ଭାରତ । ଶନିବାରଠାରୁ ଏଠାରେ ସିରିଜ୍‌ର ଫ୍ଲୋରିଡା ଲେଗ୍ ଆରମ୍ଭ ହୋଇଥିବା ବେଳେ ଚତୁର୍ଥ ମ୍ୟାଚ୍‌ଟିକୁ ଦଳ ୫୯ ରନ୍‌ରେ ଜିତିନେଇଛି । ଫଳସ୍ୱରୂପ ରବିବାର ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ୍‌ଟି ଗୌଣ ହୋଇଯାଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ୫ ୱିକେଟ୍ ବିନିମୟରେ ୧୯୧ ରନ୍ କରିଥିଲା । ଜବାବରେ ଘରୋଇ ଇଣ୍ଡିଜ୍ ୧୯.୧ ଓଭର୍‌ରେ ମାତ୍ର ୧୩୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ମାତ୍ର ୪.୪ ଓଭର୍‌ରେ ୫୩ ରନ୍ ଯୋଡ଼ିଥିଲେ । ତେବେ ରୋହିତ ୨ଟି ଚୌକା ଓ ୩ଟି ଛକା ଜରିଆରେ ୩୩ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଗୋଟିଏ ଚୌକା ଓ ୨ଟି ଛକା ସହ ୨୪ ରନ୍‌ରେ ପ୍ୟାଭିଲିୟନ୍ ଫେରିଥିଲେ । ଦୀପକ ହୁଡ୍ଡା ଓ ୱିକେଟ୍‌କିପର -ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍‌ଙ୍କ ମଧ୍ୟରେ ୪୭ ରନ୍‌ର ଭାଗୀଦାରୀ ହେବା ପରେ ଭାରତ ତୃତୀୟ ୱିକେଟ୍ ହରାଇଥିଲା ।

ହୁଡ୍ଡା ୨ଟି ଚୌକା ଜରିଆରେ ୨୧ ରନ୍ କରି ଆଉଟ୍ ହୋଇଥିଲେ । ପନ୍ତ ଓ ସଞ୍ଜୁ ସାମ୍‌ସନ୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୩୮ ରନ୍‌ର ଭାଗୀଦାରୀ ହୋଇଥିଲା । ପନ୍ତ୍ ୩୧ଟି ବଲ୍ ଖେଳି ୬ଟି ଚୌକା ଜରିଆରେ ୪୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ସାମ୍‌ସନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେ ୨ଟି ଚୌକା ଓ ଗୋଟିଏ ଛକା ସହ ୩୦ ରନ୍ କରିଥିବା ବେଳେ ଅକ୍ଷର ପଟେଲ୍ ମାତ୍ର ୮ଟି ବଲ୍‌ରେ ଅପରାଜିତ ୨୦ ରନ୍ କରିଥିଲେ । ସେ ଗୋଟିଏ ଚୌକା ଓ ୨ଟି ଛକା ଲଗାଇବା ସହ ଷଷ୍ଠ ୱିକେଟ୍‌ରେ ସାମ୍‌ସନ୍‌ଙ୍କ ସାଥୀରେ ଅବିଭାଜିତ ୨୭ ରନ୍ ଯୋଡ଼ିଥିଲେ । ଦୀନେଶ କାର୍ତ୍ତିକ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଇଣ୍ଡିଜ୍ ପକ୍ଷରୁ ଓବେଦ୍ ମ୍ୟାକ୍‌କୟ ଓ ଆଲ୍‌ଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଅଧିନାୟକ ନିକୋଲାସ୍ ପୂରନ୍ ଓ ରୋଭମାନ୍ ପାୱେଲ୍ ୨୪ ରନ୍ ଲେଖାଏଁ କରିଥିଲେ । ପୂରନ୍ ଗୋଟିଏ ଚୌକା ଓ ୩ଟି ଛକା ଏବଂ ପାୱେଲ୍ ଗୋଟିଏ ଚୌକା ଓ ୨ଟି ଛକା ଲଗାଇଥିଲେ । ଏହାଛଡ଼ା ଶିମରୋନ୍ ହେଟମେୟର୍ ୨ଟି ଚୌକା ଓ ଗୋଟିଏ ଛକା ସହ ୧୯ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ଏବଂ ଅଭେଶ ଖାନ୍‌, ଅକ୍ଷର ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking