28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଚୀନ୍‌କୁ ଭାରତର ଚେତାବନୀ : ନୂଆ ସୀମା ଆଇନ ଆଳରେ ସ୍ଥିତିବସ୍ଥା ବିଗାଡନି

ଚୀନ୍‌କୁ ଭାରତର ଚେତାବନୀ : ନୂଆ ସୀମା ଆଇନ ଆଳରେ ସ୍ଥିତିବସ୍ଥା ବିଗାଡନି

ନୂଆଦିଲ୍ଲୀ: ନୂଆ ସୀମା ଆଇନ ଆଳ ଦେଖାଇ ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥାକୁ ବଦଳାଇବାକୁ ଅପଚେଷ୍ଟା କରନାହିଁ । ବୁଧବାର ଭାରତ ପକ୍ଷରୁ ଚୀନ୍‌କୁ ଏଭଳି ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ଅର୍ଥାତ ଅକ୍ଟୋବର ୨୩ରେ ଚୀନ୍‌ର କମ୍ୟୁନିଷ୍ଟ ସରକାର ସେନାକୁ ଅଧିକ କ୍ଷମତାଶାଳୀ କରିବାକୁ ନୂତନ ସୀମା ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଅନୁଯାୟୀ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଭାରତ ସଂଲଗ୍ନ ଆନ୍ତର୍ଜାତିକ ସୀମାରେ ମୁତୟନ ପିଏଲଏ (ପିପୁଲ୍‌ସ ଲିବରେସନ ଆର୍ମି)କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ପୁନଶ୍ଚ ଏହି ଆଇନ ବଳରେ ବାସ୍ତବ ନିୟନ୍ତ୍ରଣ ରେଖାର ଅପରପାଶ୍ୱର୍ରେ ବସବାସ କରୁଥିବା ଚୀନ୍ ନାଗରିକଙ୍କୁ ଯବାନଙ୍କ କ୍ଷମତା ପ୍ରଦାନ କରାଯାଇଛି । ଏଥିସହିତ ଚୀନ୍ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ନିଜର ସାମରିକ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି । ବୁଧବାର ଭାରତୀୟ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଏକ ବିବୃତିରେ କହିଛନ୍ତି ଯେ ଚୀନ୍‌ର ଏଭଳି ଏକପାଖିଆ ନିଷ୍ପତ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ କ୍ଷୁଣ୍ଣ କରିବ ।

୨୦୨୦ରୁ ଲଦାଖରେ ଚୀନ୍ ସୃଷ୍ଟି କରିଥିବା ସୀମା ବିବାଦ ଏବେସୁଦ୍ଧା ସମ୍ପୂର୍ଣ୍ଣଭାବେ ସମାଧାନ ହୋଇପାରିନାହିଁ । ଯଦିଓ ଉଭୟ ରାଷ୍ଟ୍ର ମଧ୍ୟରେ ୧୩ଥର ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି, ତଥାପି ସମ୍ବେଦନଶୀଳ ସ୍ଥାନଗୁଡିକରେ ଉତ୍ତେଜନା ବଳବତ୍ତର ରହିଛି । ଶେଷ ସାମରିକ ବୈଠକରେ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ୍ ଅଗ୍ରାହ୍ୟ କରିଦେଇଛି । ୧୯୫୯ରେ ବଳବତ୍ତର ଥିବା ସୀମା ସ୍ଥିତିକୁ ବଜାୟ ରଖିବାକୁ ଚୀନ୍ ଆପ୍ରାଣ ଉଦ୍ୟମ ଚଳାଇଥିବା ଭାରତ ପକ୍ଷରୁ କୁହାଯାଇଛି । ଭାରତ ସଂଲଗ୍ନ ତିଽତରେ ଚୀନ୍ ଏପର୍ଯ୍ୟନ୍ତ ୬୦୦ରୁ ଊର୍ଦ୍ଧ୍ୱ ବର୍ଡର ଟାଉନ ପ୍ରତିଷ୍ଠା କରିସାରିଲାଣି ।

ନୂତନ ସୀମା ଆଇନ ବଳରେ ଚୀନ୍ ଭାରତର କେତେକ ଅଞ୍ଚଳକୁ ଜବରଦଖଲ କରିବାକୁ ଚକ୍ରାନ୍ତ ଚଳାଇଛି । ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ଚୀନ୍ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଏଥିରୁ ଓହରି ଯାଉଥିବା ଭାରତ ଅଭିଯୋଗ କରିଛି। ପୂର୍ବରୁ ସୀମା ପ୍ରସଙ୍ଗରେ ଭାରତ ଓ ଚୀନ୍ ମଧ୍ୟରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହୋଇସାରିଛି । ତେବେ ଚୀନ୍ ଏହି ରାଜିନାମାଗୁଡିକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଭାରତ ଉପରେ ଦାଦାଗିରି ଦେଖାଇବାରେ ତିଳେମାତ୍ର କୁଣ୍ଠାବୋଧ କରୁନାହିଁ । ଏହାସତ୍ତ୍ୱେ ଭାରତ କୌଣସି ପରିସ୍ଥିତିରେ ଚୀନର ଏଭଳି ଚକ୍ରାନ୍ତକାରୀ ପଦକ୍ଷେପକୁ କାର୍ଯ୍ୟକାରୀ କରିବାକୁ ଦେବ ନାହିଁ ବୋଲି ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି । ଏପରିକି ଚୀନ୍ ଓ ପାକିସ୍ତାନ ମଧ୍ୟରେ ୧୯୬୩ରେ ସ୍ୱାକ୍ଷରିତ ସୀମା ରାଜିନାମାକୁ ମଧ୍ୟ ଭାରତ ସ୍ୱୀକୃତି ପ୍ରଦାନ କରୁନାହିଁ । ଏହି ରାଜିନାମାକୁ ଆଳ କରି ପାକିସ୍ତାନ ଭାରତର ୫୧୮୦ ବର୍ଗ କିମି ଅଞ୍ଚଳ ଚୀନ୍‌କୁ ହସ୍ତାନ୍ତର କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking