ନୂଆଦିଲ୍ଲୀ: ବିଭିନ୍ନ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇବା ଏବଂ ଅନ୍ଲାଇନ୍ ଠକେଇକୁ ପ୍ରତିହତ କରିବା ପାଇଁ ଇଣ୍ଟର୍ନେଟ୍ ସେବା ବ୍ୟାହତ କରିବା କ୍ଷେତ୍ରରେ ଭାରତ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ସର୍ବାଗ୍ରେ ରହିଛି । ଆକ୍ସେସ୍ ନାଓର ଏକ ରିପୋର୍ଟରେ ଏହା କୁହାଯାଇଛି । ଚଳିତ ବର୍ଷ ୧୦୬ ଥର ଇଣ୍ଟରନେଟ୍ ସେବା ବ୍ୟାହତ କରାଯାଇଥିବା ବେଳେ ଏହା ମଧ୍ୟରୁ କେବଳ ଜମ୍ମୁ-କଶ୍ମୀରରେ ୮୫ ଥର ବନ୍ଦ ରଖାଯାଇଥିଲା । ରିପୋର୍ଟରେ କୁହାଯାଇଛି, ୨୦୨୧ରେ କର୍ତ୍ତୃପକ୍ଷ ଜାଣିଶୁଣି ୩୪ଟି ଦେଶରେ ୧୮୨ ଥର ଏହି ସେବା ବନ୍ଦ ରଖିଥିଲେ । ଏହା ମଧ୍ୟରୁ ଭାରତରେ ସର୍ବାଧିକ ୧୦୬ ଥର ଏହି ସେବା ବନ୍ଦ କରାଯାଇଥିଲା । ତେବେ ଏହା ୨୦୨୦ (୧୦୯ ଥର) ତୁଳନାରେ କମ୍ ବୋଲି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଭାରତ ବ୍ୟତୀତ ଏହି ତାଲିକାର ଶୀର୍ଷରେ ଥିବା ଦେଶଗୁଡ଼ିକ ମଧ୍ୟରେ ମ୍ୟାଁମାର (ଅତି କମ୍ରେ ୧୫ ଥର), ସୁଦାନ ଓ ଇରାନ (ଉଭୟ ୫ ଥର) ଅନ୍ୟତମ । ଇଣ୍ଟରନେଟ୍ ସେବା ବନ୍ଦ ଘଟଣାରେ ଜମ୍ମୁ-କଶ୍ମୀର ଶୀର୍ଷରେ ରହିଛି । ସୀମାପାର୍ ଆତଙ୍କବାଦୀ କାର୍ଯ୍ୟକଳାପ ଭୟରେ କର୍ତ୍ତୃପକ୍ଷ ଇଣ୍ଟର୍ନେଟ୍ ସେବାକୁ ବହୁଦିନ ପର୍ଯ୍ୟନ୍ତ ବ୍ୟାହତ କରି ରଖିଥାନ୍ତି ।
ଆଇନଶୃଙ୍ଖଳା ବ୍ୟବସ୍ଥା କିମ୍ବା ସୁରକ୍ଷା ଚିନ୍ତା କାରଣରୁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗୃହ ସଚିବଙ୍କ ଅନୁରୋଧକ୍ରମେ ଦେଶରେ ଇଣ୍ଟର୍ନେଟ୍ ସେବା ବନ୍ଦ ରଖିବା ଘଟଣା ଏବେ ଦେଶରେ ଏକ ନିୟମିତ ଟ୍ରେଣ୍ଡ୍ରେ ପରିଣତ ହୋଇଛି । ୨୦୨୦ରେ ସାରା ବିଶ୍ୱରେ ମୋଟ ୧୫୫ ଥର ଇଣ୍ଟର୍ନେଟ୍ ସେବା ବନ୍ଦ ରହିଥିବା ବେଳେ ଏହା ମଧ୍ୟରୁ ସର୍ବାଧିକ ୧୦୯ ଥର ଭାରତରେ ହୋଇଥିଲା । ଏହି ବର୍ଷ ଏସିଆ-ପ୍ୟାସିଫିକ୍ ଅଞ୍ଚଳର ସାତଟି ଦେଶ ଆଫଗାନିସ୍ତାନ, ବାଂଲାଦେଶ, ଚୀନ୍, ଭାରତ, ଇଣ୍ଡୋନେସିଆ, ମ୍ୟାଁମାର ଓ ପାକିସ୍ତାନ ସରକାର ୧୨୯ ଥର ଇଣ୍ଟର୍ନେଟ୍ ସେବା ବନ୍ଦ କରିଥିବା ରିପୋର୍ଟରେ କୁହାଯାଇଛି । ଯୋଗାଯୋଗ ଓ ସୂଚନା ପ୍ରାଦ୍ୟୋଗିକୀ ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଜାରି ଏକ ରିପୋର୍ଟରେ ଇଣ୍ଟର୍ନେଟ୍ ସେବା ବ୍ୟାହତର ଦୁରୁପଯୋଗ କରାଯାଉଥିବା ବେଳେ ଏହାର ପ୍ରଭାବ ନାଗରିକ ଅଧିକାର ଓ ସ୍ୱାଧୀନତା ଉପରେ ପଡ଼଼ୁଥିବା ପ୍ରମୁଖ ଭାବେ ଦର୍ଶାଯାଇଛି ।
ସାଧାରଣତଃ ବଡ଼ ବଡ଼ ଆନ୍ଦୋଳନ ଧର୍ମଘଟ ବେଳେ ବିଭିନ୍ନ ଦେଶରେ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରିଦିଆଯାଇଥାଏ । ଭାରତ ମଧ୍ୟ ଏହି ଦେଶଗୁଡ଼ିକ ମଧ୍ୟରେ ରହିଛି । ୧୮ଟି ଦେଶର ସରକାର ଆନ୍ଦୋଳନ ବେଳେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଥିବା ବେଳେ ଭାରତ ମଧ୍ୟ ଏହି ତାଲିକାରେ ରହିଛି । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦବାଇବା ଉଦ୍ୟମରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା । ସେହିପରି ପରୀକ୍ଷା ବେଳେ ଛାତ୍ରଙ୍କୁ ଚିଟିଂରୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତରେ ଅତିକମ୍ରେ ଚାରିଥର ଏହି ସେବାକୁ ବନ୍ଦ ରଖାଯାଇଥିଲା । ଇଣ୍ଟର୍ନେଟ୍ ସେବା ବନ୍ଦ ଘଟଣାରେ ୨୦୨୦ରେ ଭାରତ ୨.୮ ବିଲିୟନ୍ ଡଲାର କ୍ଷତି ହୋଇଥିବା ‘ଟପ୍ ୧୦ଭିପିଏନ୍’ ରିପୋର୍ଟରେ ଦର୍ଶାଯାଇଛି ।