34.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ଆରମ୍ଭ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା

ଆଜିଠୁ ଆରମ୍ଭ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠୁ ଆରମ୍ଭ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା । ମେ’ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ୩,୨୦୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ୯,୩୭୮ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୨୧୫ଟି ପରୀକ୍ଷା କେନ୍ଦ୍ର ଏବଂ ସଂସ୍କୃତ ମଧ୍ୟମାରେ ୪,୪୪୩ ଜଣ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ରଖିବା ନିମନ୍ତେ ୩୧୫ଟି ନୋଡାଲ ସେଣ୍ଟର ରହିଛି । ସେଥିମଧ୍ୟରୁ ସମ୍ବେଦନଶୀଳ ଅଞ୍ଚଳରେ ମାଟ୍ରିକ ପ୍ରଶ୍ନପତ୍ର ରଖିବାକୁ ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛ । ଏହି ପୁଲିସ ଷ୍ଟେସନ ମଧ୍ୟରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୯ଟି ରହିଛି । କପି ରୋକିବାକୁ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩୮ଟି ସ୍କ୍ୱାର୍ଡ ଏବଂ ଜିଲ୍ଲାସ୍ତରରେ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଅଧିକାରୀ ସ୍କୁଲ ପରିଦର୍ଶନ କରିିବେ ଏବଂ ଜିଲା ପ୍ରଶାସନକୁ ମଧ୍ୟ ପରୀକ୍ଷାର ସୁପରିଚାଳନା ନିମନ୍ତେ ପଦକ୍ଷେପ ନେବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।

ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ବାରଣ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଥଣ୍ଡା ପାନୀୟଜଳର ବ୍ୟବସ୍ଥା, ପ୍ରଚୁର ପରିମାଣରେ ଓଆରଏସ ମହଜୁଦ ରଖିବାକୁ କୁହାଯାଇଛି । ଏହାଛଡା ପରୀକ୍ଷା ସମୟରେ ଯେପରି ବିଦ୍ୟୁତ କାଟ ନହେବ ସେଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ତ୍ତୃପକ୍ଷ ସ୍ଥାନୀୟ ବିଦ୍ୟୁତ ବିଭାଗ ସହ ଆଲୋଚନା କରିବେ । ଆସନ୍ତାକାଲି ଦ୍ୱିତୀୟ ଭାଷା , ମେ ୨ ରେ ଗଣିତ, ୪ରେ ସାଧାରଣ ବିଜ୍ଞାନ, ୫ରେ ପ୍ରଥମ ଭାଷା, ୬ରେ ତୃତୀୟ ଭାଷା ଏବଂ ୭ରେ ସାମାଜିକ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ କେବଳ ଭୋକେସନାଲ ଟ୍ରେଡ ଏବଂ ଥାର୍ଡ ଲାଙ୍ଗୁଏଜ ଭିଜୁଆଲ ଆର୍ଟ (ଟିଏଲଭି) ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କରେ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କୁ ୨ଘଣ୍ଟା ସମୟ ଦିଆଯିବ । କେବଳ ଗଣିତରେ ଅଧିକ ୧୫ ମିନିଟ ସମୟ ମିଳିବ । ୮୦ ମାର୍କରୁ ୫୦ ମାର୍କ ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ । ଅବଜେକ୍ଟିଭ ପ୍ରଶ୍ନକୁ ପରୀକ୍ଷାର୍ଥୀମାନେ ଓଏମଆର ଉତ୍ତର ଖାତାରେ ଏବଂ ସବଜେକ୍ଟିଭ ପ୍ରଶ୍ନକୁ ପ୍ରଶ୍ନ ସମ୍ବଳିତ ଉତ୍ତର ଖାତାରେ ଲେଖିବେ । ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମାରେ ୪ଟି ବିଷୟ ଯଥା ସଂସ୍କୃତ, ବ୍ୟାକରଣ ଓ ଦର୍ଶନ, ସଂସ୍କୃତ ସାହିତ୍ୟମ୍‌, ପ୍ରୟୋଗାତ୍ମକ ସଂସ୍କୃତ ଏବଂ ଓଡ଼ିଆରେ ୮୦ ମାର୍କ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ୫୦ ମାର୍କ ଅବଜେକ୍ଟିଭ ଏବଂ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ପଡ଼ିବ ।

ଏହାଛଡା ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟରେ ୬୦ ମାର୍କରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ୩୦ ମାର୍କ ଅବଜେକ୍ଟିଭ ଏବଂ ୩୦ ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ରହିବ । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ହୋମ ସାଇନ୍ସ ଏବଂ ପେଣ୍ଟିଂ ବିଷୟକୁ ଛାଡ଼ି ଅନ୍ୟ ସବୁ ବିଷୟରେ ୮୦ ମାର୍କ ବିଶିଷ୍ଟ ପରୀକ୍ଷା ହେବ । ଏଥିରୁ ୫୦ ମାର୍କ ଅବଜେକ୍ଟିଭ ଏବଂ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସିଟିଂର ହେବାକୁ ଥିବା ପରୀକ୍ଷାଗୁଡିକ ପ୍ରଥମ ସିଟିଂରେ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking