ଡୋମିନିକା : ଆସନ୍ତା ୧୨ରୁ ଏଠାରେ ଆରମ୍ଭ ହେଉଥିବା ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ ପ୍ରଥମ ମ୍ୟାଚ୍ ପାଇଁ ଶନିବାର ୱେଷ୍ଟ୍ଇଣ୍ଡିଜ୍ର ଏକ ୧୩ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ନୂଆମୁହଁ ଭାବେ ଘରୋଇ ଦଳରେ କିର୍କ ମ୍ୟାକ୍କେଞ୍ଜି ଓ ଆଲିକ୍ ଆଥାନେଜ୍ଙ୍କୁ ସାମିଲ୍ କରାଯାଇଛି । ଏହି ଦୁଇ ଖେଳାଳି ଗତ ବାଂଲାଦେଶ ଗସ୍ତରେ ଇଣ୍ଡିଜ୍-ଏ’ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରି ବେଶ୍ ସଫଳ ହୋଇଥିବାରୁ ସେମାନଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇଥିବା କ୍ରିକେଟ୍ ୱେଷ୍ଟ୍ଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ଚୟନ କମିଟି ସଦସ୍ୟ ଡେସ୍ମଣ୍ଡ୍ ହେନ୍ସ କହିଛନ୍ତି ।
ଏହାଛଡ଼ା ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଅଲ୍ରାଉଣ୍ଡର୍ ରହକିମ୍ କର୍ଣ୍ଣୱାଲ୍ଙ୍କୁ ଟେଷ୍ଟ୍ କ୍ରିକେଟ୍କୁ ଫେରିବାର ସୁଯୋଗ ମିଳିଛି । ଶେଷ ଗତ ୨୦୨୧ ନଭେମ୍ବରରେ ଗଲ୍ଠାରେ ଶେଷ ଥର ପାଇଁ ଟେଷ୍ଟ୍ ଖେଳିଥିଲେ । ସେହିପରି ଗତ ଫେବୃଆରୀରେ ସାଉଥ୍ ଆଫ୍ରିକା ଗସ୍ତ ମିସ୍ କରିଥିବା ବାମହାତୀ ସ୍ପିନର୍ ଜୋମେଲ୍ ୱାରିକାନ୍ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଗୁଡାକେଶ୍ ମୋଟୀ ଚୟନ ପାଇଁ ଉପଲବ୍ଧ ନ ଥିବା ବେଳେ ଜାଡେନ୍ ସିଲ୍ସ ଓ କାଇଲ୍ ମାୟେର୍ସ ଟେଷ୍ଟ୍ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ସକାଶେ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିବା ମଧ୍ୟ ହେନ୍ସ ସୂଚନା ଦେଇଛନ୍ତି ।
ଦଳ ଶନିବାର ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡ୍ରେ ତା’ର ଅଭ୍ୟାସ ଶେଷ କରିବା ସହ ରବିବାର ଏଠାରେ ପହଞ୍ଚିବ । ଅନ୍ୟପକ୍ଷରେ ପାଖାପାଖି ସପ୍ତାହେ କାଳ ବାର୍ବାଡୋସ୍ରେ ଅଭ୍ୟାସ କରିବା ପରେ ଶନିବାର ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଏଠାରେ ପହଞ୍ଚିଛନ୍ତି । ଖେଳାଳିମାନେ ଡୋମିନିକା ଗସ୍ତ ପାଇଁ ବିମାନବନ୍ଦରଠାରେ ଅପେକ୍ଷା କରିଥିବା ସମୟର ଏକାଧିକ ଫଟୋ ବିସିସିଆଇ ଅଫିସିଆଲ୍ ଟ୍ୱିଟର୍ ପୃଷ୍ଠାରେ ଅପଲୋଡ୍ କରି ଏହି ସୂଚନା ଦେଇଛି । ଘୋଷିତ ଦଳ: କ୍ରେଗ୍ ବ୍ରେଥ୍ୱେଟ୍ (ଅଧିନାୟକ), ଜର୍ମେନ୍ ବ୍ଲାକଉଡ୍ (ଉପଅଧିନାୟକ), ଆଲିକ୍ ଆଥାନେଜ୍, ଟାଙ୍ଗେରିନ୍ ଚନ୍ଦରପଲ୍, ରହକିମ୍ କର୍ଣ୍ଣୱାଲ୍, ଜୋଶୁଆ ଡା ସିଲ୍ଭା, ଶାନନ୍ ଗାବ୍ରିଏଲ୍, ଜେସନ୍ ହୋଲ୍ଡର୍, ଆଲ୍ଜାରି ଜୋସେଫ୍, କିର୍କ ମ୍ୟାକ୍କେଞ୍ଜି, ରେମନ୍ ରିଫର୍, କେମାର୍ ରୋଚ୍ ଓ ଜୋମେଲ୍ ୱାରିକାନ୍ ।