14.1 C
Bhubaneswar
Friday, January 10, 2025
Homeଘଟଣାବଳୀ-୨୦୨୨ଅରୁଣାଚଳ ସୀମାରେ ଭାରତ-ଚୀନ୍ ସୈନ୍ୟ ହାତାହାତି: ଉଭୟପକ୍ଷର ୩୦ ଯବାନ ଆହତ, ଶାନ୍ତି ଫେରାଇ ଆଣିବାକୁ...

ଅରୁଣାଚଳ ସୀମାରେ ଭାରତ-ଚୀନ୍ ସୈନ୍ୟ ହାତାହାତି: ଉଭୟପକ୍ଷର ୩୦ ଯବାନ ଆହତ, ଶାନ୍ତି ଫେରାଇ ଆଣିବାକୁ ଫ୍ଲାଗ୍ ବୈଠକ

ଇଟାନଗର : ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ବାସ୍ତବ ନିୟନ୍ତଣ ରେଖାରେ ଭାରତ ଓ ଚୀନ୍ ସୈନ୍ୟ ପୁଣି ହାତାହାତି ହୋଇଥିବା ଜଣାପଡିଛି । ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ତାୱାଙ୍ଗ୍ ସେକ୍ଟରରେ ଏହି ଘଟଣା ଘଟିଥିବାବେଳେ ସୋମବାର ଏହା ଲୋକଲୋଚନକୁ ଆସିଛି । ଏହି ସଂଘର୍ଷରେ କେହି ପ୍ରାଣ ହରାଇନଥିବାବେଳେ ଉଭୟପକ୍ଷର ପ୍ରାୟ ୩୦ ଜଣ ଯବାନ ଅଳ୍ପବହୁତେ ଆହତ ହୋଇଥିବା ଜଣାପଡିଛି । ଲଦାଖ ଭଳି ତାୱାଙ୍ଗ୍ ସୀମାରେ ମଧ୍ୟ କେତେକ ବିବାଦୀୟ ସ୍ଥାନ ରହିଛି ଯେଉଁଠାରେ ଉଭୟପକ୍ଷର ସୈନ୍ୟ ସେଗୁଡିକୁ ନିଜ ଦେଶର ବୋଲି ଦାବି କରିବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି । ଏହି ସଂଘର୍ଷ ପରେ ସେଠାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ ଓ ଚୀନ୍ କମାଣ୍ଡରଙ୍କ ମଧ୍ୟରେ ଫ୍ଲାଗ୍‌ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା କୁହାଯାଇଛି । ଘଟଣାଦିନ ସୀମାରେ ମୁତୟନ ଚୀନ୍ ସୈନ୍ୟ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନ ସେମାନଙ୍କୁ ବାଧା ଦେଇଥିଲେ । ଫଳରେ କିଛି ସମୟ ପାଇଁ ଉଭୟପକ୍ଷ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏହି ଘଟଣାପରେ ତାୱାଙ୍ଗ୍ ସୀମାରୁ ଉଭୟ ଭାରତ ଓ ଚୀନ୍ ନିଜର ଯବାନଙ୍କୁ ପଛକୁ ହଟାଇ ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ୨୦୨୦ ଜୁନ୍‌ରେ ପୂର୍ବ ଲଦାଖ୍‌ର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ହୋଇଥିଲା । ଚୀନ୍ ସୈନ୍ୟ ଗଲୱାନ୍ ନଦୀ ପାର ହୋଇ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ସେଠାରେ ମୁତୟନ ଭାରତୀୟ ଯବାନ ସେମାନଙ୍କୁ ଅଟକାଇଥିଲେ । ଏହି ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ୍ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା । ସୀମାରେ ଏଭଳି ଉତ୍ତେଜନା ହ୍ରାସ କରିବାକୁ ଭାରତ ଓ ଚୀନ୍ ପକ୍ଷରୁ ସରକାରୀ, କୂଟନୈତିକ ଏବଂ ସାମରିକ ସ୍ତରରେ ଏକାଧିକ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏପରିକି ଭାରତ ଓ ଚୀନ୍ ମଧ୍ୟରେ ୧୭ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଲାଣି । ଅବଶ୍ୟ ଏହି ବୈଠକରୁ କିଛିଟା ସୁଫଳ ମଧ୍ୟ ମିଳିଛି । ଲଦାଖସ୍ଥିତ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍‌ସ ଭଳି ସମ୍ବେଦନଶୀଳ ସ୍ଥାନରୁ ଉଭୟପକ୍ଷ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିନେଇଛନ୍ତି । ତେବେ ବୁଝାମଣା ଅନୁଯାୟୀ ଆଉ କେତେକ ସ୍ଥାନରେ ଚୀନ୍ ନିଜର ସୈନ୍ୟ ପ୍ରତ୍ୟାହାର କରିନଥିବା ଜଣାପଡିଛି । ଭାରତ ସଂଲଗ୍ନ ୩୪୮୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ବାସ୍ତବ ନିୟନ୍ତ୍ରଣ ରେଖାର ଅଧିକାଂଶ ସ୍ଥାନରେ ଚୀନ୍ ନିଜର ସାମରିକ ଭିତ୍ତିଭୂମିକୁ ସୁଦୃଢ କରୁଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking