27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭାରତ-କାନାଡା ବିବାଦ ଘନେଇଲା; କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରିବାକୁ ଭାରତର ନିର୍ଦ୍ଦେଶ

ଭାରତ-କାନାଡା ବିବାଦ ଘନେଇଲା; କୂଟନୀତିଜ୍ଞ ସଂଖ୍ୟା ହ୍ରାସ କରିବାକୁ ଭାରତର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଉପୁଜିଥିବା କୂଟନୈତିକ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । କିଛିଦିନ ପୂର୍ବେ ଉଭୟ ରାଷ୍ଟ୍ର ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ତେବେ ନୂଆଦିଲ୍ଲୀରେ ଥିବା କାନାଡା ଦୂତାବାସରେ କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ଗୁରୁବାର କାନାଡା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସ୍ଥିତିରେ ଯେତେ ସଂଖ୍ୟକ କୂଟନୀତିଜ୍ଞ କାର୍ଯ୍ୟ କରିବା କଥା, ତାହାଠାରୁ ଅଧିକ ସଂଖ୍ୟାରେ କୂଟନୀତିଜ୍ଞ କାନାଡା ଦୂତାବାସରେ କାର୍ଯ୍ୟରତ ଅଛନ୍ତି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି । ଭାରତ ଓ କାନାଡା ଦୂତାବାସରେ କୂଟନୀତିଜ୍ଞଙ୍କ ସଂଖ୍ୟା ପାଖାପାଖି ସମାନ ରହିବା କଥା ।

ତେବେ ଅଟାୱାରେ ଥିବା ଭାରତୀୟ ଦୂତାବାସ ତୁଳନାରେ ନୂଆଦିଲ୍ଲୀସ୍ଥ କାନାଡା ଦୂତାବାସରେ ଅଧିକ କୂଟନୀତିଜ୍ଞ କାର୍ଯ୍ୟ କରୁଥିବା ବାଗ୍‌ଚୀ କହିଛନ୍ତି । ସୂଚନାଯୋଗ୍ୟ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କ ବିବାଦୀୟ ବୟାନପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି । କାନାଡା ନିବାସୀ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତୀୟ କୂଟନୀତିଜ୍ଞ ସାମିଲ ଅଛନ୍ତି ବୋଲି ଟ୍ରୁଡୁ କିଛିଦିନ ପୂର୍ବେ କାନାଡା ପାର୍ଲାମେଣ୍ଟରେ ଏକ ମନ୍ତବ୍ୟ ଦେଇଥିଲେ । ଏହାପରେ ଭାରତ ଓ କାନାଡା ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି । ଟ୍ରୁଡୁଙ୍କ ଏଭଳି ବୟାନ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ କାନାଡା ସରକାରଙ୍କ ପ୍ରୋତ୍ସାହନରେ ଖଲିସ୍ତାନ ସଂଗଠନ କାନାଡାରେ ଭାରତ ବିରୋଧି ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି । ସେମାନେ ଭାରତୀୟ ଦୂତାବାସ ସମ୍ମୁଖରେ ଖଲିସ୍ତାନ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଭାରତୀୟ କୂଟନୀତିଜ୍ଞଙ୍କୁ ବିଭିନ୍ନ ସମୟରେ ଧମକ ଚମକ ମଧ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କାନାଡାରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ରମାନଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି । ବାହାରକୁ ବାହାରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ଜରୁରୀ ପରସ୍ଥିତିରେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଭାରତର ଏଭଳି ମାର୍ଗଦର୍ଶିକାକୁ କାନାଡା ସରକାର ଅଗ୍ରାହ୍ୟ କରିଦେଇଛନ୍ତି । କାନାଡାରେ ବାସ କରୁଥିବା ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ ସୁରକ୍ଷିତ ବୋଲି ଟ୍ରୁଡୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking