25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାବେରୀ ଜଳବଣ୍ଟନ ବିବାଦ; ତାମିଲନାଡୁ ସରକାରଙ୍କ ଦାବି ସୁପ୍ରିମ୍‌କୋର୍ଟରେ ଅଗ୍ରାହ୍ୟ

କାବେରୀ ଜଳବଣ୍ଟନ ବିବାଦ; ତାମିଲନାଡୁ ସରକାରଙ୍କ ଦାବି ସୁପ୍ରିମ୍‌କୋର୍ଟରେ ଅଗ୍ରାହ୍ୟ

ନୂଆଦିଲ୍ଲୀ: କାବେରୀ ନଦୀ ଜଳବଣ୍ଟନ ବିବାଦ ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ପିଟିସନ୍‌କୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି । ଜଷ୍ଟିସ ଭି.ଆର.ଗଭାଇ, ଜଷ୍ଟିସ ପି.ଏସ.ନରସିଂହା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ମାମଲାର ଶୁଣାଣି କରିବା ସହ ଏ ପ୍ରସଙ୍ଗରେ କାବେରୀ ୱାଟର ରେଗୁଲେସନ କମିଟି ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ କାବେରୀ ଜଳବଣ୍ଟନ ପ୍ରସଙ୍ଗ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବହୁଦିନରୁ ବିବାଦ ଲାଗି ରହିଛି ।

ତେବେ ତାମିଲନାଡୁକୁ ଦୈନିକ ୫୦୦୦ କ୍ୟୁସେକ୍ (ସେକେଣ୍ଡ ପିଛା ଏକ ଘନଫୁଟ) ପାଣି ଯୋଗାଇବାକୁ କାବେରୀ ୱାଟର ରେଗୁଲେଟୋରୀ କମିଟି ଚଳିତମାସ ୧୨ରେ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତିକୁ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟୀ ମଧ୍ୟ ଅନୁମୋଦନ କରିଛନ୍ତି । ଏହାର ପ୍ରତିବାଦରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ କାବେରୀ ନଦୀରୁ ଅଧିକ ପରିମାଣର ଜଳ ଯୋଗାଇବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ତାମିଲନାଡୁ ପକ୍ଷରୁ ପିଟିସନରେ ଉଲ୍ଲେଖ କରାଯାଇଥିଲା ।

ତେବେ ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ ଉଭୟ କାବେରୀ ୱାଟର ରେଗୁଲେଟୋରୀ କମିଟି ଏବଂ କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି ଏହି ପ୍ରସଙ୍ଗଗୁଡିକୁ ଉପଯୁକ୍ତ ଢଙ୍ଗରେ ତର୍ଜମା କରିବାପରେ ଉପରୋକ୍ତ ନିଷ୍ପତ୍ତି ଦେଇଛନ୍ତି । ଏପରିକି ଏହି ଦୁଇଟି ସଂସ୍ଥା ପ୍ରତ୍ୟେକ ୧୫ ଦିନରେ ସ୍ଥିତି ସମୀକ୍ଷା ମଧ୍ୟ କରୁଛନ୍ତି । ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀ ଯୁକ୍ତି ଦର୍ଶାଇଛନ୍ତି ଯେ ଏହି ଦୁଇଟି ସଂସ୍ଥା ସ୍ଥିତି ସମୀକ୍ଷା କରିବାପରେ ତାମିଲନାଡୁକୁ ଦୈନିକ ୭୨୦୦ କ୍ୟୁସେକ୍ ଜଳ ଯୋଗାଇବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାକୁ ୫୦୦୦ କ୍ୟୁସେକ୍‌କୁ ହ୍ରାସ କରାଯାଇଥିବାରୁ ତାମିଲନାଡ ପ୍ରତି ଅବିଚାର କରାଯାଇଥିବା ସେ କହିଛନ୍ତି ।

ତାମିଲନାଡୁରେ ୫ ଲକ୍ଷ ଏକର ଜମିରେ ଚାଷକାର୍ଯ୍ୟ ଚାଲିଥିବାବେଳେ ପାନୀୟଜଳର ସଙ୍କଟ ମଧ୍ୟ ଦେଖାଦେଇଛି । ଏହାକୁ ମୁକାବିଲା କରିବାକୁ ଅଧିକ ପରିମାଣର ଜଳ ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି । ଅପରପକ୍ଷରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ କହିଛନ୍ତି ଯେ ଅଳ୍ପ ପରିମାଣର ବୃଷ୍ଟି ଯୋଗୁଁ ଏଥର କର୍ଣ୍ଣାଟକରେ ମଧ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି । ଦୈନିକ ୫୦୦୦ କ୍ୟୁସେକ୍ ଜଳ ତାମିଲନାଡୁକୁ ଯୋଗାଇଲେ କର୍ଣ୍ଣାଟକ ଅବସ୍ଥା ଜଟିଳ ହୋଇପଡିବ ବୋଲି ସେ ସୁପ୍ରିମକୋର୍ଟ ପୀଠଙ୍କୁ ଅବଗତ କରାଇଛନ୍ତି ।

କର୍ଣ୍ଣାଟକ ସରକାର କାବେରୀ ନଦୀର ଜଳକୁ ଉଭୟ ଜଳସେଚନ ଏବଂ ପାନୀୟ ଜଳ ପାଇଁ ବ୍ୟବହାର କରୁଥିବାବେଳେ ତାମିଲନାଡୁ ସରକାର କେବଳ ଜଳସେଚନ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରିଥାନ୍ତି । ଉଭୟପକ୍ଷର ଯୁକ୍ତି ଶୁଣିବାପରେ ପୀଠ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମତାମତ ଜାଣିବାକୁ ଚାହିଁଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି କହିଛନ୍ତି ଯେ କେବଳ ମରୁଡି କାରଣ ଦର୍ଶାଇ ତାମିଲନାଡୁ ଅଧିକ ଜଳ ଦାବି କରିପାରିବ ନାହିଁ । ଏ ପ୍ରସଙ୍ଗରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟର ତଥ୍ୟ, ବୃଷ୍ଟିପାତ, ଜଳଭଣ୍ଡାରଗୁଡିକର ଜଳସ୍ତର ଏବଂ ଅନ୍ୟାନ୍ୟ ସୂଚନାକୁ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking