ନୂଆଦିଲ୍ଲୀ : ବିଶ୍ବରେ ଏବେ ବିଭିନ୍ନ ରାଷ୍ଟ୍ରମାନଙ୍କରେ ସଂକ୍ରମଣ ବଢ଼ୁଛି। ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଆମେରିକାର କିଛି ଅଂଶରେ ରେକର୍ଡ ସଂକ୍ରମଣ ହେଉଛି। ଭାରତରେ ଦିଲ୍ଲୀ ଏବଂ ମୁମ୍ବାଇରେ ଗୁରୁବାର ଦିନ ବି ସଂକ୍ରମଣ ମାମଲା ଅଧିକ ରହିଛି। ବ୍ରିଟେନ୍ ଏବେ ଓମିକ୍ରନ୍ ପ୍ରଜାତି ସଂକ୍ରମଣର ଗ୍ଳୋବାଲ ହଟ୍ସ୍ପଟ୍ ପାଲଟିଛି ଏବଂ ୯୩ ହଜାରରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ବ୍ରିଟେନରେ ୮୮,୩୭୬ ନୂଆ ମାମଲା ଚିହ୍ନଟ ହେବା ସହ ବିଶ୍ବରେ ରେକର୍ଡ ସଂକ୍ରମଣ ହୋଇଛି।
ବ୍ରିଟେନ୍ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧.୧ ନିୟୁତ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୪୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍ ମୃତ୍ୟୁସଂଖ୍ୟା ୧୪୭,୦୦୦ ରହିଛି। ଅଷ୍ଟ୍ରେଲିଆରେ ବି ସଂକ୍ରମଣ ବଢ଼ୁଛି। ଅଷ୍ଟ୍ରେଲିଆରେ ଶୁକ୍ରବାର ୨,୨୧୩ ନୂଆ ମାମଲା ଚିହ୍ନଟ ହୋଇଛି। ମହାମାରୀ ପରେ ଏହା ସର୍ବାଧିକ ସଂକ୍ରମଣ। ନ୍ୟୁ ସାଉଥ୍ ୱେଲ୍ସରେ ଗୁରୁବାର ଦିନ ୧,୭୪୨ ନୂଆ ମାମଲା ଚିହ୍ନଟ ହୋଇଛି। ସେପ୍ଟେମ୍ବରର ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି। ଶୁକ୍ରବାର ଅଷ୍ଟ୍ରେଲିଆରେ ୨୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଫ୍ରିକାରେ ୨୬,୯୭୬ ନୂଆ ମାମଲା ଚିହ୍ନଟ ହୋଇଛି। ଜୁଲାଇ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୨୬,୪୮୫ ମାମଲା ଥିଲା।