ଇସଲାମାବାଦ: ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ପାକିସ୍ତାନ ନିର୍ବାଚନ କମିଶନ (ଇସି) ବୁଧବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ୫୦ ହଜାର ଟଙ୍କା (ପାକିସ୍ତାନୀ ମୁଦ୍ରା) ଜୋରିମାନା ଲାଗୁ କରିଥିବା ଜଣାପଡିଛି । ନିର୍ବାଚନ କମିଶନଙ୍କ କଟକଣା ସତ୍ତ୍ୱେ ଇମ୍ରାନ ନିକଟରେ ଖାଇବର-ପାଖ୍ତୁନ୍ଖ୍ୱା ପ୍ରଦେଶକୁ ଗସ୍ତକରି ସେଠାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରିଥିଲେ । ବର୍ତ୍ତମାନ ପାଖ୍ତୁନ୍ଖ୍ୱା ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀଙ୍କୁ ସେଠାକୁ ଯିବାକୁ ବାରଣ କରାଯାଇଛିି । ଇମ୍ରାନ ମାର୍ଚ୍ଚ ୨୧ରେ ସେଠାକୁ ଯାଇଥିବାରୁ ଇସିଙ୍କ ପକ୍ଷରୁ ଏଭଳି ଜୋରିମାନା ଲାଗୁ କରାଯାଇଛି । ଇସିଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଇମ୍ରାନ୍ଙ୍କ କ୍ୟାବିନେଟ୍ର ଯୋଜନା ମନ୍ତ୍ରୀ ଆସାଦ ଉମର ଇସଲାମାବାଦ ହାଇକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି ।
ଚଳିତମାସ ୨୫ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ନ୍ୟାସନାଲ ଆସେମ୍ବ୍ଲିରେ ଭୋଟଗ୍ରହଣ କରାଯିବ । ତେବେ ଏହି ଅଗ୍ନିପରୀକ୍ଷା ପୂର୍ବରୁ ଇମ୍ରାନ୍ଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ଭୋଟଗ୍ରହଣ ପୂର୍ବରୁ ଇମ୍ରାନଙ୍କ ମେଣ୍ଟ ସରକାରରୁ ୩ଟି ସହଯୋଗୀ ଦଳ ଓହରି ଯାଇଛନ୍ତି । ଏଗୁଡିକ ହେଲା ଏମ୍କ୍ୟୁଏମ୍-ପି (ମୁତ୍ତାହିଦା ଆୱାମି ମୁଭ୍ମେଣ୍ଟ-ପାକିସ୍ତାନ), ପିଏମଏଲ-କ୍ୟୁ (ପାକିସ୍ତାନ ମୁସ୍ଲିମ୍ ଲିଗ୍-କ୍ୱେଦ୍) ଓ ବିଏପି (ବାଲୋଚିସ୍ତାନ ଆୱାମି ପାର୍ଟି) ।
ଭୋଟଗ୍ରହଣ ଦିନ ଏହି ତିନିଟି ଦଳର ସାଂସଦମାନେ ବିରୋଧୀଙ୍କ ସହ ହାତମିଳାଇବେ ବୋଲି ଜିଓ ନ୍ୟୁଜ୍ ସୂତ୍ରରୁ ଜଣାପଡିଛି । ଇତିମଧ୍ୟରେ ଇମ୍ରାନ୍ଙ୍କ ନେତୃତ୍ୱାଧୀନ ପିଟିଆଇ (ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍) ଦଳର ୨୪ ଜଣ ସାଂସଦ ଦଳତ୍ୟାଗ କରିସାରିଛନ୍ତି । ଇମ୍ରାନ ସରକାରଙ୍କ କାର୍ଯ୍ୟକାଳରେ ଦେଶରେ ମୁଦ୍ରାସ୍ଫିତୀ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟ ଆକାଶଛୁଆଁ ହୋଇପଡିଛି । ତେଣୁ ବିରୋଧୀ ଦଳଗୁଡିକ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।