ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ ବ୍ୟକ୍ତି ଗତ ୧୨ ମାସ ମଧ୍ୟରେ ଫୁଡ୍ ଡେଲିଭରୀ ଆପ୍ ସ୍ୱିଗି ଜରିଆରେ ୬ ଲକ୍ଷ ଟଙ୍କା ଇଡ୍ଲି ଅର୍ଡର କରିଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ପାଳନ କରାଯାଉଥିବା ‘ଇଡ୍ଲି ଦିବସ’ ଅବସରରେ ସ୍ୱିଗିର ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ୨୦୨୨ ମାର୍ଚ୍ଚ ୩୦ରୁ ୨୦୨୩ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଅବଧି ମଧ୍ୟରେ କରାଯାଇଥିବା ବିଶ୍ଳେଷଣରୁ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଇଡ୍ଲିର ଲୋକପ୍ରିୟତା ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ସୂଚନା ମିଳିଛି ।
ଗତବର୍ଷ ହାଇଦ୍ରାବାଦର ଜଣେ ୟୁଜର୍ ସର୍ବାଧିକ ସଂଖ୍ୟାରେ ଇଡ୍ଲି ଅର୍ଡର କରିଛନ୍ତି ଏବଂ ଏଥିପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବିଜ୍ଞପ୍ତିରେ କୁହାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଏହି ସମୟ ମଧ୍ୟରେ ୮,୪୨୮ ପ୍ଲେଟ୍ ଇଡ୍ଲି ମଗାଇଛନ୍ତି । ସ୍ୱିଗି ତଥ୍ୟର ବିଶ୍ଳେଷଣ ଅନୁସାରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇରେ ସର୍ବାଧିକ ଇଡ୍ଲି ଅର୍ଡର କରାଯାଇଥାଏ ।