29.1 C
Bhubaneswar
Saturday, July 27, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ଆଇସିସି ମହିଳା ବିଶ୍ୱକପ୍‌: ଆଜି ଭାରତର ସାଉଥ୍ ଆଫ୍ରିକା ଚାଲେଞ୍ଜ୍‌

ଆଇସିସି ମହିଳା ବିଶ୍ୱକପ୍‌: ଆଜି ଭାରତର ସାଉଥ୍ ଆଫ୍ରିକା ଚାଲେଞ୍ଜ୍‌

କ୍ରାଏଷ୍ଟ୍‌ଚଚ୍ଚ: ଲଗାତାର ଉନ୍ନତ ପ୍ରଦର୍ଶନରେ ବିଫଳ ଭାରତୀୟ ମହିଳା ଟିମ୍ ରବିବାର ଚଳିତ ବିଶ୍ୱକପ୍‌ର ‘କର ବା ମର’ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାକୁ ଭେଟିବ । ୨୦୧୭ର ଉପବିଜେତା ଭାରତ ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟ୍‌ରେ ତିନିଟି ବିଜୟ ଓ ତିନିଟି ପରାଜୟ ସହ ୬ ପଏଣ୍ଟ ନେଇ ପଞ୍ଚମ ସ୍ଥାନରେ ରହିଛି । ଟିମ୍‌କୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ସାଉଥ୍ ଆଫ୍ରିକା ବିପକ୍ଷ ଏହି ଅନ୍ତିମ ଲିଗ୍ ମ୍ୟାଚ୍ ଯେପରି ହେଉ ଜିତିବାକୁ ପଡ଼ିବ । ସାଉଥ୍ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ସାଉଥ୍ ଆଫ୍ରିକା ପଏଣ୍ଟ ଟେବଲ୍‌ର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି, ଯାହା ଫଳରେ ଭାରତର ଆଶାକୁ ଧକ୍କା ଲାଗିଛି । ରବିବାରର ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ଅନ୍ତିମ ଚାରିରେ ସ୍ଥାନ ହାସଲ ସହ ଉନ୍ନତ ରନ୍‌ରେଟ୍‌ରେ ଆଧାରରେ ୱେଷ୍ଟଇଣ୍ଡିଜ୍‌କୁ ପଛରେ ପକାଇ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିବ । ଅନ୍ୟପକ୍ଷରେ ଭାରତ ପରାଜିତ ହେଲେ ମଧ୍ୟ ଯଦି ଆସନ୍ତାକାଲିର ଅନ୍ୟ ଏକ ମ୍ୟାଚ୍‌ରେ ବାଂଲାଦେଶଠାରୁ ଇଂଲଣ୍ଡ ପରାସ୍ତ ହୁଏ, ତେବେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟ ହେବ । ମାତ୍ର ଏହା ଏତେ ସହଜ ନୁହେଁ ।

ଗତ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭାରତ ଆସନ୍ତାକାଲି ସାଉଥ୍ ଆଫ୍ରିକା ବିପକ୍ଷରେ ଆସନ୍ତାକାଲି ଏହି ଲୟକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଖେଳିବ । ବାଂଲାଦେଶ ବିପକ୍ଷରେ ୧୧୦ ରନ୍‌ର ବିଜୟ ସତ୍ତ୍ୱେ ଭାରତୀୟ ବ୍ୟାଟର୍‌ମାନେ ଗୋଟିଏ ୟୁନିଟ୍ ଭାବେ ଖେଳିପାରି ନଥିଲେ । ସାଉଥ୍ ଆଫ୍ରିକାର ଦମ୍‌ଦାର ବୋଲିଂ ଆକ୍ରମଣ ବିପକ୍ଷରେ ଏଥିରେ ସୁଧାର କରିବାକୁ ହେବ ବୋଲି ଭାରତୀୟ ଟିମ୍‌ର କ୍ୟାପ୍‌ଟେନ୍ ମିତାଲି ରାଜ୍ ଭଲ ଭାବେ ଜାଣନ୍ତି । ମ୍ୟାଚ୍ ପୂର୍ବ ପ୍ରେସ୍ କନ୍‌ଫରେନ୍ସରେ ବ୍ୟାଟର୍ ଶେଫଳୀ ବର୍ମା କହିଛନ୍ତି, ‘ଆସନ୍ତାକାଲିର ମ୍ୟାଚ୍ ବହୁ ଗୁରୁତ୍ୱପୂର୍ଣ୍ଣ ଏହା ଟିମ୍‌ର ସମସ୍ତ ଖେଳାଳିଙ୍କୁ ଜଣାଅଛି । ସମସ୍ତେ ନିଜ ନିଜର ଶତପ୍ରତିଶତ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ । ସେହିପରି ଆମକୁ ବଡ଼ ପାର୍ଟନର୍‌ଶିପ୍ କରିବାକୁ ହେବ । ଆମକୁ ଏକ ୟୁନିଟ୍ ଭାବେ ଉନ୍ନତ ବ୍ୟାଟିଂ କରିବାକୁ ପଡ଼ିବ । ଫିଲ୍ଡିଂ ଏବଂ ବୋଲିଂ ଉନ୍ନତ ରହିଆସିଛି ଏବଂ ଆମକୁ ଟିମ୍ ଭାବେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ ।

’ କ୍ୟାପ୍‌ଟେନ୍ ମିତାଲି ରାଜ୍ ତିନିଟି ମ୍ୟାଚ୍‌ରେ ଦୁଇଅଙ୍କରେ ପହଞ୍ଚିବାରେ ମଧ୍ୟ ସଫଳ ହୋଇ ନାହାନ୍ତି ଏବଂ ଏହି ମ୍ୟାଚ୍‌ରେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି । ଯଦି ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିନପାରେ, ତେବେ ଏହା ତାଙ୍କର ଅନ୍ତିମ ମ୍ୟାଚ୍ ହୋଇପାରେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶତକକୁ ଛାଡ଼ିଦେଲେ ସ୍ମୃତି ମନ୍ଧାନା ମଧ୍ୟ ସେପରି ଖାସ୍ କରିପାରି ନାହାନ୍ତି । ଶେଫାଳୀ ବାଂଲାଦେଶ ବିପକ୍ଷରେ ରନ୍ ସଂଗ୍ରହ କରିଥିବା ବେଳେ ୟାସ୍ତିକା ଭାଟିଆ ତୃତୀୟ ନମ୍ବରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ହରମନ୍‌ପ୍ରୀତ୍ କୌର୍‌, ଅଲ୍‌ରାଉଣ୍ଡର୍ ପୂଜା ବସ୍ତ୍ରାକାର ଓ ସ୍ନେହ ରାଣା ଲଗାତାର ଭଲ ବ୍ୟାଟିଂ କରିଆସୁଛନ୍ତି । ଅନ୍ୟପକ୍ଷରେ ବୋଲର୍‌ମାନେ କେତେକ କ୍ଷେତ୍ରରେ ନିରାଶ କରିଥିବା ବେଳେ ବାଂଲାଦେଶ ବିପକ୍ଷରେ ପ୍ରଦର୍ଶନ ଉନ୍ନତ ଥିଲା । ଫାଷ୍ଟ୍ ବୋଲର୍ ମେଘନା ସିଂହଙ୍କ ସ୍ଥାନରେ ସ୍ପିନର୍ ପୁନମ୍ ଯାଦବଙ୍କୁ ଖେଳାଇବା ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଥିଲା । ଏବେ ଦେଖିବାର ଅଛି ଭାରତ ଦୁଇ ଫାଷ୍ଟ ବୋଲର୍ ଓ ତିନି ସ୍ପିନର୍‌ଙ୍କୁ ନେଇ ଖେଳୁଛି କି ଏଥିରେ ପରିବର୍ତ୍ତନ କରିବ । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିସାରିଛି । ଟିମ୍ ୯ ପଏଣ୍ଟ ସହ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking