40.1 C
Bhubaneswar
Thursday, April 25, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ଆଇସିସି ମହିଳା ବିଶ୍ୱକପ୍‌ : ସାଉଥ୍ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

ଆଇସିସି ମହିଳା ବିଶ୍ୱକପ୍‌ : ସାଉଥ୍ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

କ୍ରାଏଷ୍ଟ୍‌ଚର୍ଚ୍ଚ : ଓପ୍ନର୍ ଡେନିଏଲ୍ ୱାଟ୍‌ଙ୍କ ଦମ୍‌ଦାର ଶତକ ଏବଂ ସୋଫି ଏକ୍ଲୋଷ୍ଟୋନ୍‌ଙ୍କ ୬ ୱିକେଟ୍ ସଫଳତା ବଳରେ ସାଉଥ୍ ଆଫ୍ରିକାକୁ ୧୩୭ ରନ୍‌ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଚଳିତ ଆଇସିସି ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ପ୍ରବେଶ କରିଛି । ଟାଇଟଲ୍ ମୁକାବିଲାରେ ଏବେ ଇଂଲଣ୍ଡର ମୁକାବିଲା ଏପ୍ରିଲ୍ ୩ ତାରିଖରେ ଅଷ୍ଟ୍ରେଲିଆ ସହ ହେବ । ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପ୍ରବେଶ କରିଥିଲା । କ୍ରାଏଷ୍ଟ୍‌ଚର୍ଚ୍ଚର ହେଗ୍‌ଲେ ଓଭାଲ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ୱାଟ୍‌ଙ୍କ ୧୨୯ ରନ୍ ସହାୟତାରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍ ହରାଇ ୨୯୩ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଜବାବରେ ସାଉଥ୍ ଆଫ୍ରିକା ଟିମ୍ ଇଂଲିଶ୍ ବୋଲର୍‌ଙ୍କୁ ସାମ୍ନା କରିନପାରି ମାତ୍ର ୩୮ ଓଭର୍‌ରେ ୧୫୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ଡେନିଏଲ୍ ୱାଟ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିôା ଇଂଲଣ୍ଡ ପକ୍ଷରୁ ଆକର୍ଷଣୀୟ ଶତକୀୟ ଇନିଂସ୍ ଖେଳିଥିବା ୱାଟ୍ ୧୨୫ ବଲ୍ ସାମ୍ନାକରି ମୋଟ ୧୨ଟି ଚୌକା ମାରିଥିଲେ । ଏହା ୱାଟ୍‌ଙ୍କର ଦିନିକିଆରେ ଦ୍ୱିତୀୟ ଶତକ । ୱାଟ୍‌ଙ୍କ ବ୍ୟତୀତ ସୋଫିଆ ଡଙ୍କେଲ୍ ମଧ୍ୟ ୭୨ ବଲ୍‌ରେ ୬୦ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ସେହିପରି ଏମି ଜୋନ୍ସ ଓ ସୋଫି ଏକ୍ଲେଷ୍ଟୋନ୍ ମଧ୍ୟ ଯଥାକ୍ରମେ ୨୮ ଓ ୨୪ ରନ୍‌ର ଯୋଗଦାନ କରିଥିଲେ । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ପକ୍ଷରୁ ଶବ୍‌ନିମ୍ ଇସ୍‌ମାଇଲ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମାରିଜାନେ କାପ୍ ଓ ମାସାବାତା କ୍ଲାସ୍‌ଙ୍କୁ ଦୁଇଟି ଲେଖାଏଁ ଏବଂ ଆୟାବୋଙ୍ଗା ଖାକାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ଲକ୍ଷ୍ୟର ପିଛା କରୁଥିବା ସାଉଥ୍ ଆଫ୍ରିକା ଟିମ୍ ବଡ଼ ସ୍କୋର୍‌ର ଚାପ ସହିନପାରି ମାତ୍ର ୮ ରନ୍ ମଧ୍ୟରେ ନିଜର ଦୁଇ ଓପ୍ନର୍‌ଙ୍କୁ ହରାଇଥିଲା । ଲୌରା ୱଲ୍‌ଭାର୍ଡଟ୍ ଖାତା ଖୋଲିବା ପୂର୍ବରୁ ଆନ୍ୟା ଶ୍ରବ୍‌ସୋଲ୍‌ଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ । ସେହିପରି ୨ ରନ୍ କରିଥିବା ବେଳେ ଲିଜେଲ୍ ଲି’ଙ୍କୁ ସ୍କିଭର୍‌ଙ୍କ ହାତରେ କ୍ୟାଚ୍ କରାଇ ଶ୍ରୁବ୍‌ସୋଲ୍ ପ୍ୟାଭିଲିୟନ୍ ଫେରାଇଥିଲେ । ଏହା ପରେ ଲାରା ଗୁଡାଲ୍ ଓ କ୍ୟାପ୍‌ଟେନ୍ ସୁନ୍ ଲୁସ୍ ଇନିଂସ୍ ସମ୍ଭାଳିବାକୁ ଉଦ୍ୟମ କରିଥିଲେ ମଧ୍ୟ ଇଂଲିଶ୍ ବୋଲର୍ ଏହି ପାର୍ଟନର୍‌ଶିପ୍‌କୁ ଆଗକୁ ବଢ଼ିବାକୁ ଦେଇନଥିଲେ । ସୁନ୍ ଲୁସ୍ ୨୧ ଓ ଗୁଡାଲ୍ ୨୮ ରନ୍ କରି ଯଥାକ୍ରମେ କେଟ୍ କ୍ରସ୍ ଓ ଚାର୍ଲଲୋଟ୍ ଡିନ୍‌ଙ୍କ ଶିକାର ହୋଇଥିଲେ । ମିଗ୍‌ନନ୍ ଡୁ ପ୍ରିଜ୍ ସର୍ବାଧିକ ୩୦ ରନ୍ କରିଥିବା ବେଳେ ମାରିଜାନେ କାପ୍ ଓ ତ୍ରିଷା ଚେଟ୍ଟି ୨୧ ରନ୍ ଲେଖାଏଁ କରିଥିଲେ । ସାଉଥ୍ ଆଫ୍ରିକାର ଶେଷ ଛଅଟି ୱିକେଟ୍ ସୋଫି ଏକ୍ଲେଷ୍ଟୋନ୍ ହାତେଇଥିଲେ । ଏହା ଦିନିକିଆ ମ୍ୟାଚ୍‌ରେ ଏକ୍ଲେଷ୍ଟୋନ୍‌ଙ୍କୁ ପ୍ରଥମ ୫-ୱିକେଟ୍ ସଫଳତା ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking