ଦୁବାଇ: ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ର୍ୟାଙ୍କିଙ୍ଗ୍ର ବ୍ୟାଟିଂ ସୂଚୀରେ ଭେଟେରାନ୍ ଭାରତୀୟ ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ୧୦୮ ସ୍ଥାନର ଲମ୍ଫ ପ୍ରଦାନ କରି ୮୭ ନମ୍ବରରେ ପହଞ୍ଚିଛନ୍ତି । ସେହିପରି ଯୁବ ଓପ୍ନର୍ ଈଶାନ୍ କିଶନ୍ ଟପ୍-୧୦ରେ ପ୍ରବେଶ କରିଛନ୍ତି । ଗତ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ କିଶନ୍ ୨ଟି ଅର୍ଦ୍ଧଶତକ ସହ ୪୧ ହାରରେ ମୋଟ ୨୦୬ ରନ୍ କରି ସର୍ବାଧିକ ସ୍କୋରର୍ ରହିଥିଲେ । ଏହି ପ୍ରଦର୍ଶନ ବଳରେ କିଶନ୍ ବ୍ୟାଟିଂ ସୂଚୀରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷରେ ଆଇପିଏଲ୍ର ଗତ ପଞ୍ଚଦଶ ସଂସ୍କରଣରେ ଉତ୍କୃଷ୍ଟ ଫର୍ମରେ ଥିବା କାର୍ତ୍ତିକ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ କେତୋଟି ବିସ୍ଫୋରକ ଇନିଂସ୍ ଖେଳିବା ଫଳରେ ତାଙ୍କ ବ୍ୟାଟିଂ କ୍ରମରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ।
ସେହିପରି ପାକିସ୍ତାନ ଅଧିନାୟକ ବାବର ଆଜମ୍ ବ୍ୟାଟିଂ ସୂଚୀର ଶୀର୍ଷରେ କାଏମ ଥିବାବେଳେ କିଶନ୍ ଟପ୍-୧୦ରେ ଏକମାତ୍ର ଭାରତୀୟ । ସେହିପରି ବୋଲିଂ ର୍ୟାଙ୍କିଙ୍ଗ୍ରେ ଭାରତର ୟୁଜବେନ୍ଦ୍ର ଚହଲ୍ ସବୁଠାରୁ ଅଧିକ ଲାଭବାନ ହୋଇଛନ୍ତି । ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ ୬ଟି ୱିକେଟ୍ ନେଇଥିବା ଏହି ସ୍ପିନର୍ ଜଣକ ୩ଟି ସ୍ଥାନର ଉନ୍ନତି ସହ ୨୩ତମ ସ୍ଥାନରେ ପହଞ୍ଚିଛନ୍ତି । ଆହୁରି ଶୀର୍ଷ ଟି-୨୦ ବୋଲର୍ ଭାବେ ଅଷ୍ଟ୍ରେଲିଆର ଜୋଶ୍ ହେଜଲ୍ଉଡ୍ ଶୀର୍ଷରେ ସ୍ଥିର ଥିବାବେଳେ ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାନ୍ (ଯୁଗ୍ମ ତୃତୀୟ) ଏବଂ ଶ୍ରୀଲଙ୍କା ସ୍ପିନର୍ ୱାନିନ୍ଦୁ ହସାରଙ୍ଗା (ଷଷ୍ଠ) ଗୋଟିଏ ଲେଖାଏଁ ସ୍ଥାନର ଉନ୍ନତି ସହ ଟପ୍-୧୦ରେ ରହିଛନ୍ତି ।
ସେହିପରି ଟେଷ୍ଟ୍ ଅଲ୍ରାଉଣ୍ଡର୍ ସୂଚୀ ଶୀର୍ଷରେ ୩୮୫ ରେଟିଂ ପଏଣ୍ଟ ସହ ରବୀନ୍ଦ୍ର ଜାଡେଜା କାଏମ ରହିଛନ୍ତି । ନିକଟରେ ତୃତୀୟ ଥର ପାଇଁ ବାଂଲାଦେଶ ଅଧିନାୟକ ଦାୟିତ୍ୱ ପାଇଥିବା ସାକିବ୍-ଅଲ୍-ହସନ୍ (୩୪୬ ରେଟିଂ ପଏଣ୍ଟ) ସୂଚୀର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି (୭୪୨) ଟେଷ୍ଟ୍ ବ୍ୟାଟିଂ ସୂଚୀର ଦଶମ ସ୍ଥାନରେ କାଏମ ଥିôବାବେଳେ ଭେଟେରାନ୍ ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ (୮୫୦) ଓ ପେସର୍ ଜସ୍ପ୍ରୀତ୍ ବୁମ୍ରା (୮୩୦) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବାଂଲାଦେଶ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ ଫଳରେ ୱେଷ୍ଟ୍ଇଣ୍ଡିଜ୍ ଫାଷ୍ଟ୍ ବୋଲର୍ କେମାର୍ ରୋଚ୍ ୪ଟି ସ୍ଥାନର ଉନ୍ନତି ସହ ଏହି ସୂଚୀର ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ୯୦୧ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଫାଷ୍ଟ୍ ବୋଲର୍ ପ୍ୟାଟ୍ କମିନ୍ସ ସୂଚୀର ଶୀର୍ଷରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି ।