ଦୁବାଇ: ଦୁବାଇରେ ଅନୁଷ୍ଠିତ ବୋର୍ଡ ବୈଠକରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି । ଭାରତ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ୨୦୨୬ ବିଶ୍ୱକପ୍ରେ ମୋଟ ୨୦ ଟିମ୍ ଭାଗନେବେ । ଏହା ମଧ୍ୟରୁ ୧୨ ଟିମ୍ ର୍ୟାଙ୍କିଙ୍ଗ୍ ଓ ୨୦୨୪ ବିଶ୍ୱକପ୍ରେ ନିଜ ପ୍ରଦର୍ଶନ ଆଧାରରେ ପରବର୍ତ୍ତୀ ବିଶ୍ୱକପ୍ ଖେଳିବେ ।
୨୦୨୪ ସିଜନ୍ର ଶୀର୍ଷ ୮ ଟିମ୍ ସିଧା ୨୦୨୬ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେହିପରି ୨ରୁ ୪ଟି ଟିମ୍ ଆଇସିସି ର୍ୟାଙ୍କିଙ୍ଗ୍ ଆଧାରରେ ସ୍ଥାନ ପକ୍କା କରିବେ । ଅନ୍ୟପକ୍ଷରେ ଆୟୋଜକ ଭାରତ ଓ ଶ୍ରୀଲଙ୍କା ଶୀର୍ଷ ୮ ଟିମ୍ରେ ସ୍ଥାନ ନପାଆନ୍ତି ତେବେ ବାକି ୪ ଟିମ୍ ମଧ୍ୟରୁ ଦୁଇ ଆୟୋଜକ ଟିମ୍ଙ୍କ ନାମ ପ୍ରଥମେ ସାମିଲ କରାଯିବ । ଏହାପରେ ଅନ୍ୟ ଦୁଇ ଟିମ୍ ର୍ୟାଙ୍କିଙ୍ଗ୍ ଆଧାରରେ ନିଜ ସ୍ଥାନ ହାସଲ କରିବେ । ସେହିପରି ଯଦି ଭାରତ ଓ ଶ୍ରୀଲଙ୍କା ଶୀର୍ଷ ୮ ଟିମ୍ରେ ସ୍ଥାନ ହାସଲ କରନ୍ତି, ତେବେ ଅନ୍ୟ ୪ ଟିମ୍ ର୍ୟାଙ୍କିଙ୍ଗ୍ ଆଧାରରେ ଯୋଗ୍ୟତା ହାସଲ କରିବେ । ୨୦ ଟିମ୍ରୁ ବାକି ଆଠ ଟିମ୍ ରିଜିଓନାଲ୍ କ୍ୱାଲିଫାୟର୍ ଜରିଆରେ ସ୍ଥାନ ପକ୍କା କରିବେ ।