ଗଞ୍ଜାମ : କବିସୂର୍ଯ୍ୟନଗରରେ ବ୍ୟାପିଲା ହଇଜା । ଗତ ୩ ଦିନ ମଧ୍ୟରେ ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି । କେତେକ ଅସୁସ୍ଥ କବିସୂର୍ଯ୍ୟନଗର ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ କେତେକ ଆସିକା ଏବଂ ବ୍ରହ୍ମପୁର ଡାକ୍ତର ଖାନାକୁ ଯାଇଥିବା ଆକ୍ରାନ୍ତଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୂଷିତ ପାଣି ବ୍ୟବହାର କରି ଅସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । କବିସୂର୍ଯ୍ୟନଗର ସହରର ପ୍ରାୟ ଅଧିକାଂଶ ୱାର୍ଡରେ ହଇଜା ବ୍ୟାପିଥିବା ଜଣାପଡିଛି । ବିଶେଷ କରି ୨ ନମ୍ବର ୱାର୍ଡ ଅନ୍ତର୍ଗତ ନଈ ସାହିରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସହରକୁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯାଉଥିବା ଦୂଷିତ ପାନୀୟ ଜଳ ହିଁ ରୋଗ ବ୍ୟାପିବାର ମୁଖ୍ୟ କାରଣ ବୋଲି ସହରବାସୀ ଅଭିଯୋଗ କରିଛନ୍ତି ।
ବିଭିନ୍ନ ସ୍ଥାନରେ ପାଣି ପାଇପ୍ ଫାଟି ରହିଛି । ଫଳରେ ନାଳନର୍ଦ୍ଦମାର ଦୂଷିତ ପାଣି ପାଇପ୍ରେ ମିଶି ଲୋକଙ୍କ ଘରକୁ ଯାଉଛି । ସେହି ପାଣିକୁ ବ୍ୟବହାର କରି ଲୋକେ ରୋଗରେ ପଡିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ଦାୟିତ୍ୱହୀନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରତିକାର ହୋଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସାହି ବାସିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ପୋଖରୀ ପାଣି ଓ ଖୋଲା କୂଅ ପାଣିରେ ଦଣ୍ଡନାଚ ପଣା ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଶାନ୍ତ କୁମାର କହିଛନ୍ତି ।
ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତର କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି । ହଇଜା ବ୍ୟାପିବା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ରୋଗରେ ସାହି ବାସିନ୍ଦା ଘାଣ୍ଟି ହେଉଥିବା ବେଳେ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦେଖା ମିଳିନଥିବା ସାହି ବାସିନ୍ଦା କହିଛନ୍ତି । ଘଟଣା ପରେ ଆଜି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ନଈ ସାହିକୁ ଯାଇ ଲୋକଙ୍କୁ ହାଲଜେନ୍ ଟାବ୍ଲେଟ୍ ଏବଂ ଓଆର୍ଏସ୍ ପ୍ରଦାନ କରିଥିବା ଜଣାପଡିଛି । କୂଅ ପାଣି, ନଈ ପାଣି ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ କରାଯାଇଥିବା ଜଣାପଡିଛି ।