29.1 C
Bhubaneswar
Wednesday, March 19, 2025
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କ ଗିରଫଦାରୀ ଓଡ଼ିଶାରେ ଫାସିବାଦ ଶାସନର ଉଦାହରଣ : ଜୟଦେବ ଜେନା

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କ ଗିରଫଦାରୀ ଓଡ଼ିଶାରେ ଫାସିବାଦ ଶାସନର ଉଦାହରଣ : ଜୟଦେବ ଜେନା

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ, ବିଜେପି ସରକାର ଦ୍ୱାରା ଝାରପଡ଼ା ଜେଲ୍‌କୁ ପଠାଯାଇଥିବା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ଉଦିତ ପ୍ରଧାନ ଏବଂ ଅନ୍ୟାନ୍ୟ ଛାତ୍ରକଂଗ୍ରେସର ନେତାମାନଙ୍କୁ ଶ୍ରୀ ଜେନା, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ପଟ୍ଟନାୟକ, ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀ ୟାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭପତି ଶ୍ରୀ ବିଶ୍ୱଜିତ ଦାସ ପ୍ରମୁଖ ସାକ୍ଷାତ୍ କରିଥିଲେ। ଏହି ପ୍ରସଙ୍ଗରେ ଶ୍ରୀ ଜେନା କହିଥିଲେ ଯେ, ୭ ମାସ ଧରି ଓଡ଼ିଶାରେ ଫାଶିବାଦର ଶାସନ ଚାଲିଛି। ବିଜେପି ସରକାର ବିରୋଧୀ ଦଳଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଉଛନ୍ତି। ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଏବଂ ଅନ୍ୟ ସାଥୀମାନେ ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କୁ ଯେଉଁ କଳା ପତାକା ପ୍ରଦର୍ଶନ କଲେ ତାହା ଅଗଣତାନ୍ତ୍ରିକ ନୁହେଁ କି ଏକ ଅକ୍ଷମଣୀୟ ଅପରାଧ ନୁହେଁ। କେବଳ ମୋହନ ଭାଗବତଙ୍କ ତୁଷ୍ଟିକରଣ ପାଇଁ ଛାତ୍ର କଂଗ୍ରେସର ନେତାମାନଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ନିଜ ପଦ ବଞ୍ଚାଇବା ପାଇଁ ଏହି କାର୍ଯ୍ୟ କରିଛନ୍ତି।

ମୋହନ ଭାଗବତ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଆଜିର ଛାତ୍ର ସମାଜକୁ ବ୍ୟଥିତ ଓ ମର୍ମାହତ କରିଛି। ମୋହନ ଭାଗବତ କହୁଛନ୍ତି ରାମ ମନ୍ଦିର ପ୍ରତିଷ୍ଠା ପରଠାରୁ ଦେଶ ସ୍ୱାଧୀନ ହୋଇଛି। ଏହି ଗୈରୀକ ସଂଗଠନ କହୁଛି, ୨୦୧୪ ମସିହା ପରଠାରୁ ଦେଶ ସ୍ୱାଧୀନ ହୋଇଛି। ମୋହନ ଭାଗବତ ମଧ୍ୟ କହିଛନ୍ତି ଯେ, ଏହି ସ୍ୱାଧୀନତା ଭିକ୍ଷାରେ ମିଳିଛି। ଏହା ଆମର ରାଷ୍ଟ୍ରନାୟକମାନଙ୍କ ପ୍ରତି ଭୟଙ୍କର ଅପମାନ। କେବଳ ଭାରତଛାଡ଼ ଆନ୍ଦୋଳନରେ ୧୦ ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରାଣହାନୀ ହୋଇଥିଲା, ୧ ଲକ୍ଷ ସଂଗ୍ରାମୀ ଜେଲଦଣ୍ଡ ଭୋଗିଲେ। ଗାନ୍ଧି, ନେହେରୁ, ସୁଭାଷ, ପଟେଲ ଓ ଆଜାଦ ପ୍ରମୁଖଙ୍କର ତ୍ୟାଗ ଓ ଅବଦାନକୁ ମାନିବାକୁ ମୋହନ ଭାଗବତ ପ୍ରସ୍ତୁତ ନୁହଁନ୍ତି। ଓଡ଼ିଶାରେ ମଧ୍ୟ ଗୋପବନ୍ଧୁଙ୍କ ଠାରୁ ଆରମ୍ଭ କରି ଫାଶି ପାଇଥିବା ଲକ୍ଷ୍ମଣ ନାୟକ ଏବଂ ଗୁଳିରେ ସହିଦ ହୋଇଥିବା ବାଜି ରାଉତଙ୍କ ପର୍ଯ୍ୟନ୍ତ ସେମାନଙ୍କର ତ୍ୟାଗର ମୂଲ୍ୟ କିଛି ନାହିଁ। ତେଣୁ ଛାତ୍ର କଂଗ୍ରେସ ମୋହନ ଭାଗବତଙ୍କ ଭଳି ଜଣେ ଧର୍ମାନ୍ଧ ଏବଂ ରାଷ୍ଟ୍ରନାୟକମାନଙ୍କ ପ୍ରତି ଘୃଣାଭାବ ପୋଷଣ କରୁଥିବା ବ୍ୟକ୍ତିଙ୍କୁ କଳା ପତାକା ପ୍ରଦର୍ଶନ କରିବା ଯଥାର୍ଥ। ଏହି ପରସ୍ଥିତିରେ ଓଡ଼ିଶାରେ ଗୃହ ବିଭାଗ ଚଳାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିବା ମୁଖ୍ୟମନ୍ତ୍ରୀ ଏବଂ ପୋଲିସ୍ ବାହିନୀ ଉଦିତ ପ୍ରଧାନଙ୍କୁ ଜେଲରେ ଭର୍ତ୍ତି କରି ଆତ୍ମ ସନ୍ତୋଷ ନେଉଛନ୍ତି।

ଓଡ଼ିଶା ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ କର୍ତ୍ତବ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରି ଜୋତା ଚାଟିବାକୁ ବାଧ୍ୟ କରି ମୋହନ ଶାସନରେ ଦଣ୍ଡିତ ହୋଇପାରିଲା ନାହିଁ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘର ନିକଟରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଧର୍ମାନ୍ତରୀକରଣର ମିଥ୍ୟା ଅଭିଯୋଗ ଲଗାଇ ଉଲଗ୍ନ କରି ଗଛରେ ବାନ୍ଧି ଚପଲରେ ଗୈରୀକ ସଂଗଠନ ଦ୍ୱାରା ନିର୍ମମ ଆକ୍ରମଣ କରାଗଲା। ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ସେମାନଙ୍କୁ ଧମକ ଚମକ ଦିଆଯାଉଛି। ଖୋର୍ଦ୍ଧାରେ ଜଣେ ମୁସଲମାନ ଯୁବକଙ୍କୁ ହତ୍ୟା କରାଯିବା ସହ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏବେ ଆତଙ୍କିତ କରାଯାଉଛି। ଓଡ଼ିଶାରେ ଧଳ ଜହର ବ୍ୟବସାୟ ବ୍ୟାପକ ହୋଇପଡ଼ିଛି। ଭୁବନେଶ୍ୱରରେ ଧଳା ଜହର ମାଫିଆମାନଙ୍କୁ ବିରୋଧ କରୁଥିବା ସହଦେବ ନାୟଙ୍କ ମୁଣ୍ଡ ରାଜରାସ୍ତାରେ ଗଡ଼ିଲା। ଯାଜପୁରରେ ଦିନ ଦ୍ୱିପ୍ରହରରେ ବ୍ୟବସାୟଙ୍କୁ ଗୁଳିକରି ହତ୍ୟା ଏବଂ ସାରା ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ଆଦିବାସୀ, ଦଳିତ ଓ ମହିଳା ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି। ତା ଉପରେ ମୋହନ ସରକାର କୌଣସି ପଦକ୍ଷେପ ନେଇପାରୁ ନାହାଁନ୍ତି। କେବଳ ଉଦିତ ପ୍ରଧାନଙ୍କୁ ଜେଲରେ ଭର୍ତ୍ତି କରି ମୋହନ ସରକାର ନିଜର ପାରିବା ପଣିଆ ପ୍ରଦର୍ଶନ କରୁଛନ୍ତି। ଯଦି ଉଦିତ ପ୍ରଧାନ ଏବଂ ଅନ୍ୟ ସାଥୀମାନଙ୍କୁ ଜେଲରୁ ତୁରନ୍ତ ଖଲାସ କରାନଯାଏ, ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ସୋନିଆ ଗାନ୍ଧିଙ୍କ ‘ପୁଅର ଲେଡି’ଉକ୍ତିକୁ ବିଜେପି କଦର୍ଥ କରୁଛି ଯାହାକି କୌଣସି ରାଜନୈତିକ ପ୍ଲାଟଫର୍ମରେ ସୋନିଆ ଗାନ୍ଧୀ କହିନାହାଁନ୍ତି। ସବୁବେଳେ ଆଦିବାସୀ ଆଦିବାସୀ କହି ଭାରତବର୍ଷର ରାଷ୍ଟ୍ରପତିଙ୍କୁ ବିଜେପି ଅପମାନିତ କରିଚାଲିଛି। ନୂତନ ସଂସଦ ଗୃହ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟନ କରାଗଲା ନାହିଁ। ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଗଲା ନାହିଁ। ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ବେଳେ ମୋଦି ଏବଂ ଆଡ଼ଭାନୀ ଚେୟାରରେ ବସିଥିବା ବେଳେ ରାଷ୍ଟ୍ରପତିଙ୍କୁ ଛିଡ଼ା ହେବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ବିଜେପି ରାଷ୍ଟ୍ରପତିଙ୍କୁ ଅପମାନିତ କରୁଛି ନା ସମ୍ମାନିତ କରୁଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି। କେବଳ କୁମ୍ଭମେଳାର ଅବ୍ୟବସ୍ଥା ଏବଂ ଦଳାଚକଟାରେ ଶହ ଶହ ବ୍ୟକ୍ତିଙ୍କ ମୃତ୍ୟୁକୁ ଜନମାନସରୁ ହଟାଇବା ପାଇଁ ସୋନିଆ ଗାନ୍ଧିଙ୍କ ବକ୍ତବ୍ୟକୁ ନେଇ ବିଜେପି ହୀନ ରାଜନୀତି କରୁଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ଶୁଭମରାଜ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking