ଭୁବନେଶ୍ୱର: ଆଜି ଧର୍ମ ମାସ କାର୍ତ୍ତିକ ପଞ୍ଚୁକ ବ୍ରତର ଅନ୍ତିମ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି । ଶ୍ରୀଜିଉମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ତା ସହ ଆଜି ଡଙ୍ଗା ଭସାର ପରମ୍ପରା ମଧ୍ୟ ରହିଛି । କାର୍ତ୍ତିକ ମାସର ଆଜି ଶେଷ ଦିନ ପୂର୍ଣ୍ଣିମା । ସବୁଆଡେ ଚାଲିଛି ଡଙ୍ଗା ଭସା । ଆ-କା-ମା-ବୈ, ପାନ ଗୁଆ ଥୋଇ ,ପାନ ଗୁଆ ତୋର , ମାସିକ ଧରମ ମୋର ।ଏହି ଗୀତ ବୋଲି ବଡି ଭୋରରୁ ଡଙ୍ଗା ଭସାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ରାଜ୍ୟସାରା ସବୁଠି ଶ୍ରଦ୍ଧାଳୁ ଓ ହବିଷ୍ୟାଳି ମାନଙ୍କ ଭିଡ ଜମିଛି । ସମୁଦ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇ ସ୍ନାନ କରୁଛନ୍ତି । ସେହିପରି ଭୁବନେଶ୍ୱର ବିନ୍ଦୁ ସାଗରରେ ମଧ୍ୟ ଭୋରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।










