ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଗୁରୁବାରଠାରୁ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ କେଳାଯିବ । ଏହି ସିରିଜ୍ରେ ଭାରତୀୟ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ଙ୍କ ନିକଟରେ ଇତିହାସ ରଚିବା ସୁଯୋଗ ହେବ । ଜୟସ୍ୱାଲ୍ କେବଳ ଇତିହାସ ରଚିବେନି ବରଂ, ଦୁଇଟି ବଡ଼ ବିଶ୍ୱ ରେକର୍ଡ ମଧ୍ୟ ଧ୍ୱସ୍ତ କରିପାରନ୍ତି । ୨୨ ବର୍ଷୀୟ ଯଶସ୍ୱୀ ଟେଷ୍ଟ କ୍ରିକେଟ୍ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ମାମଲାରେ ବିଶ୍ୱ ରେକର୍ଡଠାରୁ ମାତ୍ର ୮ ଛକା ଦୂରରେ ଅଛନ୍ତି । ୨୦୨୩ରେ ଟେଷ୍ଟ କ୍ୟାରିୟର୍ ଆରମ୍ଭ କରିଥିବା ଜୟସ୍ୱାଲ୍ ୯ ଟେଷ୍ଟ ମ୍ୟାଚ୍ରେ ହିଁ ବିଶ୍ୱ ରେକର୍ଡ ନିକଟବର୍ତ୍ତୀ ହୋଇଛନ୍ତି । ବାଂଲାଦେଶ ବିପକ୍ଷ ଆଗାମୀ ଦୁଇଟି ମ୍ୟାଚ୍ରେ ୮ ଛକା ମାରିବା ମାତ୍ରେ ହିଁ ସେ ନ୍ୟୁଜିଲାଣ୍ଡର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ବ୍ରେଣ୍ଡନ୍ ମ୍ୟାକୁଲମ୍ଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ବିଶ୍ୱ ରେକର୍ଡ ଭଙ୍ଗ କରିବେ । ଭାରତୀୟ ଯୁବ ଓପ୍ନର୍ଙ୍କ ନାମରେ ୨୦୨୪ରେ ବର୍ତ୍ତମାନ ସୁନ୍ଧା ଟେଷ୍ଟ କ୍ରିକେଟ୍ରେ ୨୬ ଛକା ରହିଛି । ଭାରତ ଚଳିତ ବର୍ଷ ଆହୁରି ୯ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଥିବା ସେ କେବେ ବି ମ୍ୟାକୁଲମ୍ଙ୍କ ବିଶ୍ୱ ରେକର୍ଡ ଭଙ୍ଗ କରିପାରନ୍ତି । ଟେଷ୍ଟ କ୍ରିକେଟ୍ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ମ୍ୟାକୁଲମ୍ଙ୍କ ନାମରେ ରହିଛି । ସେ ୨୦୧୪ରେ ଟେଷ୍ଟ କ୍ରିକେଟ୍ରେ ମୋଟ ୩୩ ଛକା ହାସଲ କରିଥିଲେ ।