ବଲାଙ୍ଗିର, (ଦେବାଶିଷ ମିଶ୍ର)- ନିଜର ନ୍ୟାୟୋଚିତ ତଥା ସମ୍ବିଧାନସମ୍ମତ ଦାବୀ ପାଇଁ ଲଢ଼ୁଥିବା କୋଶଳାଂଚଳର ଆଇନ୍ଜୀବୀମାନଙ୍କ ବିରୁଦ୍ଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତ ଯେଉଁମାନଙ୍କ ସ୍ଥାଣୁତା ପାଇଁ ଏଭଳି ଅବସ୍ଥା ହୋଇଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାନ୍ୟବର ସୁପ୍ରିମକୋର୍ଟ, ବାର କାଉନ୍ସିଲ ପଦକ୍ଷେପ ନିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନି ଜରିଆରେ ଅପିଲ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ରାଜ୍ୟର ପଶ୍ଚିମାଂଚଳ ଯାହାକି ପ୍ରସ୍ତାବିତ କୋଶଳ ରାଜ୍ୟର ମୁଖ୍ୟାଂଶ ସେହି ଅଂଚଳ ବିଭିନ୍ନ ସମୟରେ ଉଗ୍ର ଆଂଚଳିକ ବୈଷମ୍ୟର ଶିକାର ହୋଇଛି । ଏହି ସତ୍ୟକୁ ରାଜ୍ୟ ସରକାର ଦ୍ୱାରା ଗଠିତ ବିଭିନ୍ନ କମିଟୀ, କେନ୍ଦ୍ର ମାନବାଧିକାର କମିଶନ, ଜାତୀୟ ଆନ୍ତର୍ଜାତୀୟ ଗଣମାଧ୍ୟମ ଏପରିକି ବିଭିନ୍ନ ସମୟରେ ମାନ୍ୟବର ସୁପ୍ରିମ କୋର୍ଟ ବିଭିନ୍ନ ରାୟରେ ସ୍ୱୀକାର କରିଛନ୍ତି ବୋଲି କହିଛି ସମନ୍ୱୟ ସମିତି ।
ଆହୁରି ମଧ୍ୟ, ହାଇକୋର୍ଟର ବେଂଚ ସ୍ଥାପନ ପାଇଁ ଜଷ୍ଟିସ୍ ଯଶବନ୍ତ ସିଂ କମିଶନର ଏକ ରିପୋର୍ଟକୁ ଗାଇଡ଼ଲାଇନ୍ ହିସାବରେ ସାରା ଦେଶରେ ଗ୍ରହଣ କରଯାଇଛି । ତେଣୁ ଯଶବନ୍ତ ସିଂ କମିଶନର ଏକ ରିପୋର୍ଟକୁ ଭିତି କରି କୋଶଳାଂଚଳର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବୀ କୋଶଳାଂଚଳର ଆଇନଜୀବୀମାନେ ବାରମ୍ବାର ଉପସ୍ଥାପିତ କରିଛନ୍ତି । କିନ୍ତୁ ତାଙ୍କର ଏହି ଦାବୀକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ମାନ୍ୟବର ହାଇକୋର୍ଟ ବାରମ୍ବାର ଅଣଦେଖା କରିଛନ୍ତି । ଆହୁରି ମଧ୍ୟ ଜଷ୍ଟିସ୍ ପାଲଙ୍କ ଅ୍ମକ୍ଷତାରେ ଗଠିତ ହୋଇଥିବା କମିଶନ ମଧ୍ୟ ଦୀର୍ଘଦିନ ହେଲା ତାଙ୍କର ରିପୋର୍ଟ ରାଜ୍ୟ ସରକାର ପାଖରେ ଦାଖଲ କରିସାରିଛନ୍ତି । କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ଏଯାଏଁ ଓଡ଼ିଶା ବିଧାନସଭାରେ ନା ଉକ୍ତ ରିପୋର୍ଟ ଉପସ୍ଥାପିତ ହୋଇଛି ନା ତାଙ୍କ କୌଣସି ସୁପାରିଶ କାର୍ଯ୍ୟନ୍ୱିତ ହୋଇଛି । ଅନ୍ୟପକ୍ଷରେ ହାଇକୋର୍ଟ ବେଂଚର ଦାବୀ ଯଥାର୍ଥତା ନେଇ ମାନ୍ୟବର ହାଇକୋର୍ଟ ବର୍ତମାନ ଯାଏ କୌଣସି ରିପୋର୍ଟ ଦେଇ ନ ଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନୀରବତା ଅବଲମ୍ବନ କରୁଛନ୍ତି । ଫଳତଃ ବାଧ୍ୟ ହୋଇ ଗଲା ଶତର ମାସ ହେଲା ଓକିଲମାନେ ନିଜ ପେଟପାଟଣାକୁ ତ୍ୟାଗ କରି ଆନ୍ଦୋଳନରେ ଅଛନ୍ତି । ତେଣୁ ମାନ୍ୟବର ସୁପ୍ରିମକୋର୍ଟ କିମ୍ବା ବାର୍ କାଉନ୍ସିଲ ଓକିଲମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପୂର୍ବରୁ ତାଙ୍କ ଦାବୀର ଯଥାର୍ଥତା ତଥା ରାଜ୍ୟ ସରକାରଙ୍କ ଓ ମାନ୍ୟବର ହାଇକୋର୍ଟଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସଜ୍ଞାନ ନେବାକୁ ଅନୁରୋଧ କରିଛି ରାଜ୍ୟ କୋଶଳ ସମନ୍ୱୟ ସମିତି । ଏହାଛଡ଼ା ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଆଇନ୍ମନ୍ତ୍ରୀ ମ୍ମ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ଆଗ୍ରହ କରିଛି । ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ ରେ କୋଶଲ ରାଜ୍ୟ ସମନ୍ୱୟ ସମିତିଙ୍କ ଦ୍ୱାରା ହୋଇଥିବା ଏହିପ୍ରେସ ମିଟ୍ ରେ ସୁନିଲ କୁମାର ପୁରୋହିତ, ଶରତ କୁମାର ହୋତା, ସୁରେନ୍ଦ୍ର କୁମାର ପଣ୍ଡା, ରଣରାଜ ସିଂଦେଓ, ରବି ମିଶ୍ର ଓ ରିଲୁ ରଥ ତଥା ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।