ବେଜିଂ : ଦକ୍ଷିଣ ଚୀନ୍ରେ ମୁଷଳଧାରା ବର୍ଷା କାରଣରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ତିନିଜଣ ନିଖୋଜ ହୋଇଛନ୍ତି । ଚୀନ୍ର ସରକାରୀ ନ୍ୟୁଜ୍ ଏଜେନ୍ସି ଶିନ୍ହୁଆ ଅନୁସାରେ ବର୍ଷା କାରଣରୁ ଫୁଜିଆନ୍ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଦୁଇଟି ବିଲ୍ଡିଂ ଧରାଶାୟୀ ହୋଇଯାଇଛି, ଯେଉଁଥିରେ ଆଠଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିପରି ୟୁନାନ୍ ପ୍ରଦେଶରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଥବା ବେଳେ ତିନିଜଣ ନିଖୋଜ ହୋଇଥିବା ସିସିଟିଭି ରିପୋର୍ଟରେ କୁହାଯାଇଛି ।
ଗୁଆଙ୍ଗଶୀ ଅଞ୍ଚଳରେ ଶିନ୍ଚ୍ୱେଙ୍ଗ୍ କାଉଣ୍ଟିରେ ଶୁକ୍ରବାର ବନ୍ୟାପାଣିରେ ଭାସିଯାଇଥିବା ତିନିଜଣ ଶିଶୁଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଉଦ୍ଧାର କରାଯାଇଥିଲା । ସାମୁଦ୍ରିକ ଝଡ଼ ଯୋଗୁଁ ୟୁନାନ୍ ପ୍ରଦେଶର କ୍ୟୁବେଇ କାଉଣ୍ଟିରେ ସଡ଼କ, ପୋଲ, ଦୂରସଞ୍ଚାର ଏବଂ ବିଜୁଳି ସଂଯନ୍ତ୍ର କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟାତ ଏବଂ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଶିନ୍ହୁଆ ରିପୋର୍ଟରେ କୁହାଯାଇଛି, ଫୁଜିଆନ୍ରେ ଭୁଶୁଡ଼ି ପଡ଼ିଥିବା ଏକ ଫ୍ୟାକ୍ଟ୍ରି ତଳୁ ୫ ଶବ ଏବଂ ଏକ ରେସିଡେନ୍ସିଆଲ୍ ବିଲ୍ଡିଂ ତଳୁ ୩ଟି ଶବ ଉଦ୍ଧାର କରାଯାଇଛି । ଗୁରୁବାର ରାତିରୁ ବୁପିଙ୍ଗ୍ କାଉଣ୍ଟିରେ ବର୍ଷା ଲାଗିରହିଛି । ସଡ଼କ ପାଣିରେ ବୁଡ଼ି ରହିଥିବା ବେଳେ କେତେକ ସ୍ଥାନରେ ସଡ଼କ ଆଂଶିକ ଭାବେ ଧୋଇଯାଇଛି ।