ଭୁବନେଶ୍ୱର : ଦିନକ ପରେ ପବିତ୍ର ବାହୁଡ଼ ଯାତ୍ରା। ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା ଥିବାବେଳେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଗୁଣ୍ଡିଚା ତୁଳନାରେ ଅପେକ୍ଷାକୃତ ବର୍ଷା ପରିମାଣ କମ୍ ରହିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ।ତାଙ୍କ ଆକଳନ ଅନୁସାରେ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ଵବର୍ତ୍ତୀ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଅଛି। ଏହା ପ୍ରଭାବରେ ୨୫ ଯାଏଁ ରାଜ୍ୟରେ ବର୍ଷା ରହିପାରେ। ପୁରୀ ତୁଳନାରେ ବାହୁଡ଼ାରେ ଭୁବନେଶ୍ବରରେ ବର୍ଷା ଅଧିକ ହୋଇପାରେ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ୨୮ ଯାଏଁ ବର୍ଷା ରହିବ । ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ବାଲେଶ୍ବର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୫ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ଵର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ପବନ ହୋଇପାରେ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ଜାଗାରେ ବର୍ଷା ହୋଇଛି।










