16.1 C
Bhubaneswar
Tuesday, January 7, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ମୁମ୍ବାଇକୁ ୫୫ ରନ୍‌ରେ ହରାଇଲା ଗୁଜୁରାଟ

ଆଇପିଏଲ୍‌: ମୁମ୍ବାଇକୁ ୫୫ ରନ୍‌ରେ ହରାଇଲା ଗୁଜୁରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ଠାରେ ଘରୋଇ ଗୁଜରାଟ ଟାଇଟାନ୍ସ ଓ ଭ୍ରମଣକାରୀ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସଂସ୍କରଣର ୩୫ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ଗୁଜରାଟ ୫୫ ରନ୍‌ରେ ବିଜୟୀ ହୋଇ ମୋଟ ୧୦ ପଏଣ୍ଟ୍ ପାଇ ଟେବଲ୍‌ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ଗୁଜରାଟ ଓପନର୍ ଶୁବମାନ ଗିଲ୍‌ଙ୍କ ଅର୍ଦ୍ଧଶତକ ଏବଂ ଡେଭିଡ୍ ମିଲର୍ ଓ ଅଭିନବ ମନୋହରଙ୍କ ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ୬ ୱିକେଟ୍‌ରେ ୨୦୭ ରନ୍ କରିଥିଲା । ଜବାବରେ ମୁମ୍ବାଇ ୯ ୱିକେଟ୍ ବିନିମୟରେ ୧୫୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏଥିସହ ମୁମ୍ବାଇ ତା’ର ସପ୍ତମ ମ୍ୟାଚ୍‌ରେ ଚତୁର୍ଥ ପରାଜୟ ବରଣ କରିଛି ।

ଗୁଜରାଟ ଓପନର ଋଦ୍ଧିମାନ୍ ସାହା ୪ ରନ୍ କରି ଅର୍ଜୁନ ତେନ୍ଦୁଲକରଙ୍କ ଶିକାର ହେବା ପରେ ଗିଲ୍ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ୩୮ ରନ୍‌ର ଭାଗୀଦାରୀ ହୋଇଥିଲା । ହାର୍ଦ୍ଦିକ ଗୋଟିଏ ଚୌକା ସହ ୧୩ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଗିଲ୍ ତୃତୀୟ ୱିକେଟ୍‌ରେ ବିଜୟ ଶଙ୍କରଙ୍କ ସାଥୀରେ ୪୧ ରନ୍ ଯୋଡ଼ିଥିଲେ । ଗିଲ୍ ମାତ୍ର ୩୪ ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହ ୫୬ ରନ୍‌ରେ ବିଦାୟ ନେଇଥିଲେ । ସେହିପରି ଶଙ୍କର ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୯ ରନ୍‌ର ଯୋଗଦାନ ଦେଇଥିଲେ । ଏହି ସମୟରେ ପଞ୍ଚମ ୱିକେଟ୍‌ରେ ମିଲର୍ ଓ ମନୋହରଙ୍କ ମଧ୍ୟରେ ୭୧ ରନ୍‌ର ଦ୍ରୁତ ଭାଗୀଦାରୀ ହେବା ଫଳରେ ଦଳ ୨୦୦ ଆଡ଼କୁ ଅଗ୍ରସର ହୋଇଥିଲା । ମନୋହର ମାତ୍ର ୨୧ ବଲ୍‌ରେ ୩ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୪୨ ରନ୍ କରିଥିବା ବେଳେ ମିଲର୍ ୪୬ ରନ୍‌ର ଇନିଂସ ପାଇଁ ୨୨ଟି ବଲ୍ ନେଇଥିଲେ । ତାଙ୍କର ଏହି ଧୂଆଁଧାର ଇନିଂସରେ ୨ଟି ଚୌକା ଓ ୪ଟି ଛକା ରହିଥିଲା । ଶେଷ ଭାଗରେ ରାହୁଲ୍ ଟେୱଟିଆ ମାତ୍ର ୫ଟି ବଲ୍ ଖେଳି ୩ଟି ଛକା ମାଧ୍ୟମରେ ୨୦ ରନ୍ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ପୀୟୂଷ ଚାୱଲା ୨ଟି ଏବଂ ଅର୍ଜୁନ, ଜେସନ୍ ବେହରେନ୍‌ଡର୍ଫ, ରିଲି ମେରେଡିଥ୍ ଓ କୁମାର କାର୍ତ୍ତିକେୟଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

ବ୍ୟାଟିଂରେ ଦଳ ଓପନର ତଥା ଅଧିନାୟକ ରୋହିତ ଶର୍ମା (୨)ଙ୍କ ୱିକେଟ୍ ସଅଳ ହରାଇଥିଲା । ଦ୍ୱିତୀୟ ୱିକେଟ୍‌ରେ ଅନ୍ୟତମ ଓପନର ଈଶାନ୍ କିଶନ୍ ଓ କାମେରନ୍ ଗ୍ରୀନ୍ ୩୯ ରନ୍ ଯୋଡ଼ିଥିଲେ ହେଁ ଦଳୀୟ ସ୍କୋର୍ ୫୯ରେ ପହଞ୍ଚିଲା ବେଳକୁ ମୁମ୍ବାଇ ୫ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କ ୱିକେଟ୍ ହରାଇସାରିଥିଲା । ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଓ ନେହଲ୍ ୱାଧେରାଙ୍କ ମଧ୍ୟରେ ୩୧ ରନ୍‌ର ଭାଗୀଦାରୀ ହୋଇଥିଲା । ସୂର୍ଯ୍ୟକୁମାର ୧୨ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୩ ରନ୍‌ରେ ଆଉଟ୍ ହେବା ପରେ ଟିମ୍ ଡେଭିଡ୍ ଶୂନରେ ବିଦାୟ ନେଇଥିଲେ । ୱାଧେରା ୨୧ ବଲ୍ ଖେଳି ୩ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୪୦ ରନ୍ କରିଥିବା ବେଳେ ଚାୱଲା ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୮ ଏବଂ ଅର୍ଜୁନ ଗୋଟିଏ ଛକା ସହ ୧୩ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ନୂର୍ ଅହମ୍ମଦ ୩ଟି, ରଶିଦ୍ ଖାନ୍ ଓ ମୋହିତ ଶର୍ମା ୨ଟି ଲେଖାଏଁ ଏବଂ ହାର୍ଦ୍ଦିକ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking