ମୋର୍ବି : ଗୁଜରାଟର ମୋର୍ବି ସହରରେ ଗତ ରବିବାର ଘଟିଥିବା ଝୁଲା ପୋଲ ଦୁର୍ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିସାରିଛି । ବୁଧବାର ଏମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା । ବିଚାରପତି ନଭେମ୍ବର ୫ ପର୍ଯ୍ୟନ୍ତ ଚାରିଜଣଙ୍କୁ ପୁଲିସ ହାଜତ ଏବଂ ଅବଶିଷ୍ଟ ପାଞ୍ଚଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ପୁଲିସ ହାଜତକୁ ଯାଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଓରେଭା କମ୍ପାନୀର କର୍ମଚାରୀ ହୋଇଥିବାବେଳେ ଅନ୍ୟ ଦୁଇଜଣ ହେଉଛନ୍ତି ଫ୍ୟାବ୍ରିକେସନ ୱାର୍କର । ଝୁଲା ପୋଲ ମରାମତି କାର୍ଯ୍ୟରେ ଏହି ଫ୍ୟାବ୍ରିକେଟରଙ୍କୁ ନିୟୋଜିତ କରାଯାଇଥିଲା ।
ଏହି ଚାରିଜଣଙ୍କୁ ଥାନାରେ ଜେରା କରାଯାଉଛି ବୋଲି ମୋର୍ବି ଏସ୍ପି ରାହୁଲ ତ୍ରିପାଠୀ କହିଛନ୍ତି । ପୋଲ ମରାମତି କାର୍ଯ୍ୟରେ କିଭଳି ଅବହେଳା କିମ୍ବା ଅନିୟମିତତା ଘଟିଛି, ତାହା ସେମାନଙ୍କ ନିକଟରୁ ଜାଣିବାକୁ ଉଦ୍ୟମ ଜାରି ରହିଛି । ଏହି ଘଟଣାରେ ଯେଉଁ ବ୍ୟକ୍ତିି ସାମାନ୍ୟତମ ସନ୍ଦେହ ପରିସରକୁ ଆସିବେ, ତାଙ୍କୁ ଅବିଳମ୍ବେ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି । ମୋର୍ବି ପୁଲିସ ପକ୍ଷରୁ ଅଦାଲତରେ ଦୁର୍ଘଟଣାର ଏକ ସାଇଣ୍ଟିଫିକ୍ ରିପୋର୍ଟ ଦାଖଲ କରାଯାଇଛି । ତେବେ ମାମଲା ତଦନ୍ତାଧୀନ ଥିବାରୁ ଗଣମାଧ୍ୟମକୁ ବିଶେଷ କିଛି ତଥ୍ୟ ଯୋଗାଇ ହେବନାହିଁ ବୋଲି ଏସ୍ପି କହିଛନ୍ତି । ପୋଲ ଦୁର୍ଘଟଣାରେ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୪ ଓ ୩୦୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଏସ୍ଆଇଟି ଗଠନ କରିଛନ୍ତି । କମିଟିରେ ସ୍ଥାନ ପାଇଥିବା ଅଧିକାରୀଙ୍କୁ ଗୁରୁବାର ସୁଦ୍ଧା ମୋର୍ବିରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୪୧ ଜଣ ପ୍ରାଣ ହରାଇଛନ୍ତି । ୧୦୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଦୁର୍ଘଟଣାକୁ ନେଇ ପୁଲିସ ପକ୍ଷରୁ ଫୌଜଦାରୀ ମାମଲା ମଧ୍ୟ ରୁଜୁ କରାଯାଇଛି । ଗତ ରବିବାର ମଚ୍ଛୁ ନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ଏହି ଝୁଲା ପୋଲ ଛିଣ୍ଡିଯିବାରୁ ଶତାଧିକ ଲୋକ ନଦୀଗର୍ଭକୁ ଖସିପଡିଥିଲେ ।
ଏବେମଧ୍ୟ ୨୦ ନିଖୋଜ!
ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ଏବେମଧ୍ୟ କୋଡିଏ ଜଣ ନିଖୋଜ ଅଛନ୍ତି ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ । ସରକାରୀଭାବେ ଦୁଇଜଣ ନିଖୋଜ ଅଛନ୍ତି ବୋଲି ଗୁଜରାଟ ଅଗ୍ନିଶମ ବାହିନୀ ମୁଖ୍ୟ କହିଛନ୍ତି । ତେବେ ଅନେକ ଲୋକ ସେମାନଙ୍କର ସମ୍ପର୍କୀୟ ନିଖୋଜ ଥିବା ଦାବି କରୁଥିବାରୁ ଏମାନଙ୍କ ସଂଖ୍ୟା କୋଡିଏ ହେବ ବୋଲି ସେ ଅନୁମାନ କରିଛନ୍ତି । ନିଖୋଜଙ୍କୁ ଠାବ କରିବାକୁ ଅଧିକ ସଂଖ୍ୟକ ସ୍କୁବା ବୁଡାଳିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଦୁର୍ଘଟଣା ସମୟରେ ଉକ୍ତ ପୋଲ ଉପରେ ପ୍ରାୟ ୫୦୦ ଲୋକ ଜମା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ପ୍ରାଣ ହରାଇଥିବାବେଳେ ଆହତ ୧୭୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶତାଧିକ ଲୋକଙ୍କୁ ନଦୀଗର୍ଭରୁ ଉଦ୍ଧାର କରାଯାଇଥିବାବେଳେ ଆଉ କେତେକ ପହଁରି ଜୀବନ ବଞ୍ଚାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।