କଟକ: ରାଜ୍ୟରେ ବଡ଼ ଧରଣର ଜିଏସଟି ଠକେଇ ହୋଇଥିବା ଅଭିଯୋଗରେ ଆଜି ଜିଏସଟି ବିଭାଗ ପକ୍ଷରୁ ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଚଢ଼ଉ କରାଯାଇଛି । ଏହି ଚଢ଼ଉ ମଧ୍ୟରେ ୨୦ ଜଣ ବଡ଼ ଟବାକୋ ଡିଲର ରହିଥିବା ଜଣାପଡ଼ିଛି । ୧୩୦ଟି ଟିମ୍ ଏହି ଚଢ଼ଉ କରୁଛନ୍ତି । ଏହି ଟିମ୍ ଆଜି କଟକ, ଖୋର୍ଦ୍ଧା, ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ଚଢାଉ କରିଥିଲା । ଭୁବନେଶ୍ୱର ରସୁଲଗଡ଼ରେ ଥିବା ଜଗନ୍ନାଥ ମଲ୍ଟିଫୁଡ ଓ ଟବାକୋ କମ୍ପାନୀ ଉପରେ ଚଢ଼ଉ କରାଯାଇଥିବାବେଳେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଥିବା ଗୋପାଳ ଆରୋମିଟିକ୍ ପ୍ରାଇଭେଟ ଲିମିଟେଡ ଜର୍ଦ୍ଦା ଗୋଦାମ ଉପରେ ମଧ୍ୟ ଜିଏସଟି ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ଜିଏସଟିର ଏକ ଟିମ୍ ପୁଲିସ ସହିତ ଏହି ଗୋଦାମ ଉପରେ ଚଢ଼ଉ କରି ଆବଶ୍ୟକ କାଗଜପତ୍ର ଯାଞ୍ଚ କରୁଛନ୍ତି । ଦୀର୍ଘ ଦିନ ହେବ ଏହି ଗୋଦାମ ଏଠାରେ ଚାଲୁଥିବାବେଳେ ଜିଏସଟି ପକ୍ଷରୁ ପ୍ରତି ବର୍ଷ ତଦନ୍ତ କରାଯାଏ ବୋଲି ତଦନ୍ତକାରୀ ଅଫିସରମାନେ କହିଛନ୍ତି । ଦିନ ୧୧ଟା ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିବା ଜଣାପଡ଼ିଛି । ଆଉ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜିଏସଟି ବିଭାଗ ଜବତ କରିଛି । ତେବେ ଗୋଦାମ ମାଲିକମାନେ କମ୍ ପରିମାଣର ଅର୍ଥ ଦେଖାଇ ଅଧିକ ପରିମାଣର ପାନମସଲା ଗଚ୍ଛିତ ରଖିଥିବା ଚଢ଼ଉ ସମୟରେ ଜଣାପଡ଼ିଛି ।