ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ି ତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଉଛି । ରାଷ୍ଟ୍ରପତି ନିଜ ପ୍ରାରମ୍ଭିକ ସମ୍ବୋଧନରେ କହିଛନ୍ତି, ଅପରାଧିକ ନ୍ୟାୟ ସମ୍ବନ୍ଧୀୟ ତିନୋଟି ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶରେ ନ୍ୟାୟ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ଅଧିନିୟମ ଭଳି ଆଇନର ନାମରୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି । ଏହି ସମ୍ମିଳନୀ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମୃଦ୍ଧ ଅନୁଭୂତି ହେବ ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବ । ଏତଦ୍ବ୍ୟତୀତ ଗଣତନ୍ତ୍ରକୁ ସୁରୁଖୁରୁରେ ଚଳାଇବା ପାଇଁ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ରାଜ୍ୟପାଳମାନେ କିପରି ଏହି ସମନ୍ୱୟକୁ ପ୍ରୋତ୍ସାହିତ କରିପାରିବେ ସେ ବିଷୟରେ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ରାଷ୍ଟ୍ରପତି କହିଥିଲେ ଯେ ଗୁଣାତ୍ମକ ଉଚ୍ଚଶିକ୍ଷା ଏକ ଅତୁଳନୀୟ ସମ୍ପତ୍ତି କାରଣ ଏହା ବ୍ୟକ୍ତିଗତ ବିକାଶ ଏବଂ ସାମାଜିକ ପରିବର୍ତ୍ତନ ସହିତ ଅଭିନବତା ଏବଂ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରେ । ଜାତୀୟ ଶିକ୍ଷା ନୀତିରେ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ଏବଂ ମୂଲ୍ୟାୟନ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଭାବରେ ରାଜ୍ୟପାଳମାନେ ଏହି ସଂସ୍କାର ପ୍ରକ୍ରିୟାରେ ଯୋଗଦାନ କରିବା ଉଚିତ୍ । ସମସ୍ତ ରାଜ୍ୟପାଳ ଲୋକଙ୍କ ସେବା ଓ କଲ୍ୟାଣରେ ଯୋଗଦାନ ଜାରି ରଖିବେ ଏବଂ ସେମାନଙ୍କ ଦ୍ୱାରା ନିଆଯାଇଥିବା ଶପଥକୁ ନ୍ୟାୟ ଦେବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଅନୁସୂଚିତ ଜନଜାତି ଅଞ୍ଚଳରେ ଆମ ଆଦିବାସୀ ଜନସଂଖ୍ୟାର ଏକ ବଡ଼ ଅଂଶ ବସବାସ କରନ୍ତି ବୋଲି ସେ ଦର୍ଶାଇ ଏହି ଅଞ୍ଚଳର ଜନସାଧାରଣଙ୍କ ସାମଗ୍ରିକ ବିକାଶ ପାଇଁ ଉପାୟ ପରାମର୍ଶ ଦେବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ । ‘ଏକ ଭାରତ ଶ୍ରେଷ୍ଠ ଭାରତ\’ ଅଭିଯାନ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ପରସ୍ପରକୁ ବୁଝିବା ଏବଂ ପରସ୍ପର ସହ ଯୋଡ଼ି ହେବାରେ ସକ୍ଷମ କରିଛି । ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବାରେ ଯୋଗଦାନ କରିବାକୁ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଭଳି ଆହ୍ୱାନର ମୁକାବିଲା ପାଇଁ ଅନେକ ପ୍ରୟାସ କରାଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି । ରାଜ୍ୟପାଳମାନେ ‘ଏକ ପେଡ୍ ମା କେ ନାମ\’ ଅଭିଯାନକୁ ବ୍ୟାପକ ସ୍ତରରେ ଜନଆନ୍ଦୋଳନରେ ପରିଣତ କରି ଏଥିରେ ଯୋଗଦାନ ଦେଇପାରିବେ ବୋଲି ମଧ୍ୟ ରାଷ୍ଟ୍ରପତି କହିଛନ୍ତି ।
ଉଦ୍ଘାଟନୀ ଅଧିବେଶନରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦ୍ବୋଧନ ଦେଇଥିଲେ । ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ରାଜ୍ୟପାଳଙ୍କ ଶପଥକୁ ଉଲ୍ଲେଖ କରି ଗତ ଦଶନ୍ଧି ମଧ୍ୟରେ ଘଟିଥିବା ସାମାଜିକ କଲ୍ୟାଣକାରୀ ଯୋଜନା ଏବଂ ଅବିଶ୍ୱସନୀୟ ବିକାଶ ବିଷୟରେ ଲୋକଙ୍କୁ ସଚେତନ କରିବାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁର ଭୂମିକା ଗ୍ରହଣ କରିବା ଏବଂ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଲୋକ ଏବଂ ସାମାଜିକ ସଂଗଠନମାନଙ୍କ ସହିତ ବାର୍ତ୍ତାଳାପ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ସମ୍ମିଳନୀରେ କ’ଣ ଆଲୋଚନା ହେବ ସେ ସମ୍ପର୍କରେ ବର୍ଣ୍ଣନା କରିବା ସହ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଭାଇବ୍ରେଣ୍ଟ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିବାକୁ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ ରାଜ୍ୟପାଳଙ୍କ ସବ୍-ଗ୍ରୁପ୍ ପ୍ରତ୍ୟେକ ଏଜେଣ୍ଡା ଆଇଟମ୍ ଉପରେ ବିଚାର ବିମର୍ଶ କରିବେ । ରାଜ୍ୟପାଳଙ୍କ ବ୍ୟତୀତ ଏହି ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ । ଆସନ୍ତାକାଲି (ଅଗଷ୍ଟ ୩, ୨୦୨୪) ଶେଷ ଅଧିବେଶନରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ସବ୍-ଗ୍ରୁପ୍ ଗୁଡ଼ିକର ମତାମତ ଓ ପରାମର୍ଶ ଉପସ୍ଥାପନ କରାଯିବ ।