ଭୁବନେଶ୍ୱର: କୌଣସି ଭାଷା ଯେତେବେଳେ ସକ୍ରିୟ ଭାବେ କଥିତ, ପ୍ରଚଳିତ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରିତ ହୁଏ ସେତେବେଳେ ଏହା ସମୃଦ୍ଧ ହୁଏ I ଏଣୁ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ସୂଚନା ଓ ସଚେତନତା ଟ୍ରଷ୍ଟ’ ଆନୁକୂଲ୍ୟରେ “କହୁଛି ଓଡ଼ିଶା” ପତ୍ରିକା ଓ ଏହାର ୱେବ୍ ପୋର୍ଟାଲ୍ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି I ଏତତବ୍ୟତୀତ ଓଡ଼ିଆ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଛନ୍ତି I
ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ ଏପରି ପ୍ରୟାସକୁ କେବଳ ଏକ ପ୍ରକାଶନ ନୁହେଁ ବରଂ ଲେଖକ, ଚିନ୍ତାଶୀଳ ବ୍ୟକ୍ତି ଓ ଯୁବାମାନସ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ବୋଲି ବର୍ଣ୍ଣନା କରିଥିଲେ । ଏପରି ମଞ୍ଚ ଭାଷାର ଗଭୀରତା, ପ୍ରାସଙ୍ଗିକତା ଓ ଧାରାବାହିକତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଭାଷା, ପରମ୍ପରା, ରୀତିନୀତି ଓ ଇତିହାସ ଏକ ଗୋଷ୍ଠୀର ପରିଚୟ ନିର୍ଦ୍ଧାରଣ କରେ। ଓଡ଼ିଆ ଭାରତର ପ୍ରାଚୀନତମ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ, ଯାହା ଶତାବ୍ଦୀ ଶତାବ୍ଦୀର ଜ୍ଞାନ ଓ ବୌଦ୍ଧିକ ଚିନ୍ତାଧାରାକୁ ଧାରଣ କରିଛି। ରାଜ୍ୟର ପର୍ବପର୍ବାଣି, କଳାରୂପ, ସାହିତ୍ୟ, ଐତିହ୍ୟ ସ୍ଥଳ, ସାମୁଦ୍ରିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓଡ଼ିଶାର ସ୍ୱତନ୍ତ୍ର ଓ ସ୍ଥାୟୀ ପରିଚୟକୁ ପ୍ରତିଫଳିତ କରେ। ଏହି ଐତିହ୍ୟର ସଂରକ୍ଷଣ ପାଇଁ କେବଳ ପ୍ରଶଂସା ନୁହେଁ ବରଂ ସକ୍ରିୟ ପୋଷଣ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ । ଭାଷା ଓ ସଂସ୍କୃତି ଜୀବନ୍ତ ସମ୍ପଦ ଯାହା ନିଜର ପ୍ରାମାଣିକତା ବଜାୟ ରଖି ବିକଶିତ ହେବା ଉଚିତ୍ ବୋଲି ରାଜ୍ୟପାଳ ମତ ପ୍ରକାଶ କରିବା ସହିତ ନିଜ ଐତିହ୍ୟ ସହ ଦୃଢ଼ ସଂଯୋଗ ଏକ ଅର୍ଥପୂର୍ଣ୍ଣ ପରିଚୟବୋଧ ସୃଷ୍ଟି କରେ ବୋଲି କହିଥିଲେ।
‘ସୂଚନା ଓ ସଚେତନତା ଟ୍ରଷ୍ଟ୍’ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ, ପ୍ରଥମ ସଂଖ୍ୟାର ଶୀର୍ଷକ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର” ଓଡ଼ିଆ ପରିଚୟର ସ୍ୱରୂପକୁ ସଠିକ୍ ଭାବେ ପ୍ରତିଫଳିତ କରିଛି। ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଭାଷାର ବ୍ୟାପ୍ତି ଓ ପ୍ରାସଙ୍ଗିକତା ବୃଦ୍ଧି ପାଉଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ। ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର ଅଧିକ ବ୍ୟବହାର ପାଇଁ ଆହ୍ୱାନ ଦେଇ ପ୍ରତି ପରିବାର ପିଲାମାନଙ୍କୁ ଗର୍ବର ସହ ଓଡ଼ିଆରେ କଥା କହିବା, ପଢିବା ଓ ଲେଖିବା ପାଇଁ ଉତ୍ସାହିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଭାଷାଗତ ପରିଚୟର ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ କହିବା ସହିତ ଏହା ଅନ୍ୟ କୌଣସି ଭାଷା ବିରୋଧରେ ନୁହେଁ, ବରଂ ଓଡ଼ିଆ ଭାଷାର ସମୃଦ୍ଧ ପରିଚୟକୁ ସୁରକ୍ଷିତ ରଖିବାର ଉପାୟ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ। ପଦ୍ମ ବିଭୂଷଣ ପ୍ରାପ୍ତ ପ୍ରସିଦ୍ଧ ଶିଳ୍ପୀ ସୁଦର୍ଶନ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ସୂଚନା ଓ ସଚେତନତା ଟ୍ରଷ୍ଟ’ ର ସଭାପତି ଅଶୋକ ଭଗତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଜିତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମଶ୍ରୀ ବିଜେତା ଅଦ୍ୱୈତ ଗଡ଼ନାୟକ ଓ ଦମୟନ୍ତୀ ବେଶରାଙ୍କ ସମେତ ବିଶିଷ୍ଟ ସାମ୍ବାଦିକ ଡ଼ ରାଜାରାମ ଶତପଥୀ ମଧ୍ୟ ଏହି ଅବସରରେ ମଞ୍ଚାସୀନ ଥିଲେ ।










