ଭୁବନେଶ୍ୱର: ଚାଷୀ ଓ ମିଲରଙ୍କୁ ବଡ଼ ଆଶ୍ୱାସନା। ଧାନ ମିଲିଂ ଖର୍ଚ୍ଚ ଦୁଇଗୁଣା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀମାନଙ୍କ ଠାରୁ ଯେପରି କୌଣସି ଅସୁବିଧା ନହୋଇ ସୁରୁଖୁରୁରେ ଧାନ ସଂଗ୍ରହ କରାଯାଇପାରିବ ତାକୁ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଉଷୁନା ଚାଉଳ ପାଇଁ ପୂର୍ବରୁ ମିଲିଂ ଦର କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ଏବେ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ପେଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହା ସହିତ ପଡ଼ୋଶୀ ଓ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମିଲିଂ ଦର ବହୁତ କମ୍ ଥିଲା ଯାହାକୁ ନେଇ ମିଲରମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଏହି ନିଷ୍ପତ୍ତି ଦ୍ୱାରା ମିଲରମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହେବ। ମିଲରମାନେ ସହଯୋଗ କଲେ ଚାଷୀଙ୍କ ଠାରୁ ମାଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସୁଦୃଢ଼ ହେବ ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହେବ।










