ନ୍ୟୁୟର୍କ : ବିଶ୍ୱ ସ୍ତରରେ ଟେକନଲୋଜୀ କମ୍ପାନିମାନେ ଯେଉଁ ହାରରେ ଛଟେଇ କରିଚାଲିଛନ୍ତି ତାହାକୁ ନେଇ ପେସାଦାରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲାଣି । ବିଶେଷକରି ଆମେରିକୀୟ ଟେକନଲୋଜୀ କମ୍ପାନି ଗୁଡ଼ିକ ପ୍ରାୟ ପ୍ରତିଦିନ ଛଟେଇ କରିବା ସଂପର୍କରେ ଘୋଷଣା କରୁଛନ୍ତି । ବିଶ୍ୱର ଅନ୍ୟତମ ପ୍ରମୁଖ ଟେକନଲୋଜୀ କମ୍ପାନି ଗୁଗୁଲ୍ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସଂପର୍କରେ ଶୁକ୍ରବାର ଏହାର ମୂଳ କମ୍ପାନି ଆଲଫାବେଟ୍ ଘୋଷଣା କରିଛି । ଏହି ସଂଖ୍ୟା ସାରା ବିଶ୍ୱରେ ଥିବା ଗୁଗୁଲର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହେବ ।
ଏହି ଛଟେଇ ଦ୍ୱାରା କେବଳ ଆମେରିକାରେ ଥିବା ଗୁଗୁଲ କର୍ମଚାରୀ ନୁହନ୍ତି, ସାରା ବିଶ୍ୱରେ ଥିବା କର୍ମଚାରୀ ପ୍ରଭାବିତ ହେବେ । ତେବେ ଭାରତରେ ଗୁଗୁଲର କେତେ କର୍ମଚାରୀ ଛଟେଇ ହେବେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଶୁକ୍ରବାର ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ ଏକ ଇ-ମେଲ ମାଧ୍ୟମରେ ଏହି ଛଟେଇ ସଂପର୍କରେ ଜଣାଇଦେଇଛନ୍ତି । କମ୍ପାନିରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ଦୁଇଦିନ ତଳେ ବିଶ୍ୱର ଅନ୍ୟତମ ବୃହତ୍ ଟେକନଲୋଜୀ କମ୍ପାନି ମାଇକ୍ରୋସଫ୍ଟ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଥିଲା । କମ୍ପାନୀ ଏହାର କାରଣ ଭାବରେ ଏକ କଠିନ ପରିସ୍ଥିତିକୁ ଦର୍ଶାଇଥିଲା । ଏସବୁ ଛଟେଇ ୨୦୨୩ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା କରାଯିବ ।