ଚଣ୍ଡିଗଡ: ସାରା ଦେଶରେ ଇଦ୍କୁ ନେଇ ସେଲିବ୍ରେସନ ମାହୋଲ ଥିବାବେଳେ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗୋଟିଏ ସ୍କୁଲ ବସ୍ ଓଲଟି ପଡିବାରୁ ୭ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୨ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତାହତମାନେ ସ୍ଥାନୀୟ ଏକ ଘରୋଇ ସ୍କୁଲର ଛାତ୍ର । ଆଜି ଇଦ୍ ପାଇଁ ସରକାରୀ ଛୁଟି ସତ୍ତ୍ୱେ ସେମାନଙ୍କର ସ୍କୁଲ ଖୋଲା ରହିଥିଲା । ବସରେ ସ୍କୁଲକୁ ଯାଉଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଏହି ସ୍କୁଲ ବସରେ ପାଖାପାଖି ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ । ଆଜି ଛୁଟି ଦିନରେ ବି ସେମାନଙ୍କ ସ୍କୁଲ ଖୋଲାଥିଲା ।
ପିଲାମାନେ ବସ୍ରେ ବସି ସ୍କୁଲ ଯାଉଥିଲେ । ମହେନ୍ଦ୍ରଗଡ ଜିଲ୍ଲା କନିନା ଦାଦ୍ରି ରୋଡରେ ବସ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ଆଉ ଓଲଟି ପଡିଥିଲା । ଏଥିରେ ୭ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ତେବେ କିଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ୭ ଜଣ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିବା ଆହତ ପିଲାମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରନି । ତେବେ ବସ୍ ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଜଣାପଡିଛି । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ନେଇ ହରିୟାଣା ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଦୋଷୀଙ୍କୁ ଛାଡିଯିବ ନାହିଁ । ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ, ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ ଛୁଟି ଦିନରେ ସ୍କୁଲ ଖୋଲିବା ଆଇନର ଉଲ୍ଲଘଂନ । ଏଥିପାଇଁ ସମ୍ପୃକ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।